ଶକ୍ତି ପ୍ରଦର୍ଶନ କଲା ଓକିଲ ସଂଘ, ସମ୍ବଲପୁରରେ ଅଫିସ୍‌, ଅଦାଲତ ଅଚଳ

ଶକ୍ତି ପ୍ରଦର୍ଶନ କଲା ଓକିଲ ସଂଘ, ସମ୍ବଲପୁରରେ ଅଫିସ୍‌, ଅଦାଲତ ଅଚଳ

ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ କରୁଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ନିଜ ଶକ୍ତି ପ୍ରଦର୍ଶନ କରିଛି। ଆନ୍ଦୋଳନ ବିରୋଧରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ, ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଭଳି ପଦକ୍ଷେପ ଆଦିକୁ ବେଖାତିର କରି ପୂର୍ବଭଳି ଆନ୍ଦୋଳନ ଜାରି ରଖିଛି। ଓକିଲଙ୍କ ଆନ୍ଦୋଳନ ଯୋଗୁ ଆଜି ସମ୍ବଲପୁରରେ ସବୁ ଅଫିସ-ଅଦାଲତ ଅଚଳ ‌ହୋଇଯାଇଛି।

ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ‌ବର୍ଷ ହେଲା ଆନ୍ଦୋଳନ ଚାଲିଛି। ଏହି ପ୍ରସଂଗରେ ଆଲୋଚନା ପାଇଁ ବାରଂବାର ଅନୁରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ସମୟ ନଦେବାରୁ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗତ ସେପ୍‌ଟେମ୍ବର ମାସରେ ରାଜଧାନୀ ଭୁବନେଶ୍ବର ଯାଇ ଆନ୍ଦୋଳନ କରିଥିଲା। ସେତେବେଳେ ୩ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଶୀଘ୍ର ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

ତଥାପି, ସରକାର ନିରବ ରହିବାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମାସର ପ୍ରତ୍ୟେକ ବୁଧବାର ଦିନ ପିକେଟିଂ କରି ଅଫିସ୍-ଅଦାଲତ ଅଚଳ କରିଆସୁଛି। ଇତିମଧ୍ୟରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ସତ୍ୟପାଠ ସହିତ ସୁପ୍ରିମକୋର୍ଟରେ ମୋକଦ୍ଦମା ଦାୟର  କରିଛନ୍ତି। ହେଲେ, ଓକିଲ ସଂଘର ଆନ୍ଦୋଳନ ଉପରେ ଏହା କ‌ୌଣସି ପ୍ରଭାବ ପକାଇ ପାରିନାହିଁ। ବରଂ, ଓକିଲ ସଂଘର ସଦସ୍ୟମାନ‌େ ଆଜି ପୂରା ଉତ୍ସାହର ସହିତ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହା ସତ୍ତ୍ବେ ଶହ ଶହ ଆଇନଜୀବୀ ଆଜି ନେଲସନ୍‌ ମଣ୍ଡେଲା ଛକ ସହିତ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ। ଓକିଲ ଆନ୍ଦୋଳନ ଯୋଗୁ ବିଚାରପତିମାନେ କୋର୍ଟକୁ ଯାଇନପାରି ନେଲସନ୍‌ ମଣ୍ଡେଲା ଛକରୁ ଫେରିଯାଇଥିଲେ। ସରକାରୀ ଅଧିକାରୀମାନେ ବି ଅଫିସକୁ ଯାଇପାରିନଥିଲେ। ସବୁ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ ଜନସାଧାରଣଙ୍କର ବି ସମର୍ଥନ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe