୧୩ ଦିନ ପରେ ପୁରୀ-କୋଣାର୍କକୁ ବିଦ୍ୟୁତ୍ ସେବା

Advertisment

ଆଲୋକିତ ହେଲା ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ, ବଳିଆପଣ୍ଡା, ସରକାରୀ କାର୍ଯ୍ୟାଳୟକୁ ଆଂଶିକ ସଂଯୋଗ, ସହରାଞ୍ଚଳରେ ସଂପୂର୍ଣ୍ଣ ବିଜୁଳି ସେବା ପାଇଁ ଆହୁରି ସପ୍ତାହେ

ଆଲୋକିତ ହେଲା ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ, ବଳିଆପଣ୍ଡା, ସରକାରୀ କାର୍ଯ୍ୟାଳୟକୁ ଆଂଶିକ ସଂଯୋଗ, ସହରାଞ୍ଚଳରେ ସଂପୂର୍ଣ୍ଣ ବିଜୁଳି ସେବା ପାଇଁ ଆହୁରି ସପ୍ତାହେ

୧୩ ଦିନ ପରେ ପୁରୀ-କୋଣାର୍କକୁ ବିଦ୍ୟୁତ୍ ସେବା

ପୁରୀ/କୋଣାର୍କ : ଦୀର୍ଘ ୧୩ ଦିନର ଅନ୍ଧକାର ପରେ ପୁରୀ ସହରର ଆଂଶିକ ଅଞ୍ଚଳ ଆଜି ଆଲୋକିତ ହୋଇଛି। ବିଦ୍ୟୁତ୍ ବିଭାଗର ଶାମୁକା ଗ୍ରୀଡ଼୍‌ରେ ପରୀକ୍ଷାମୂଳକ ବିଦ୍ୟୁତ୍ ସେବା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବିଜୁଳି ସେବା ବାହାଲ ହେବା ପରେ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସଂପୂର୍ଣ୍ଣ ଆଲୋକିତ ହୋଇଥିବା ବେଳେ ବଳିଆପଣ୍ଡା ଆଂଶିକ ଆଲୋକିତ ହୋଇଛି। ସେହିପରି କୋଣାର୍କ ବସ୍‌ଷ୍ଟାଣ୍ଡଠାରୁ ଥାନା ଛକ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଫଳରେ ବାତ୍ୟାପରଠୁ ଅନ୍ଧାରରେ ଥିବା କୋଣାର୍କ ଯାତ୍ରୀ ନିବାସ, ସଂଗ୍ରାହାଳୟ, ମୁକ୍ତାକାଶ ରଙ୍ଗମଞ୍ଚ, କୋଣାର୍କ ଏନ୍‌ଏସି ଓ କୋଣାର୍କ ଥାନା ପରିସର ଆଲୋକିତ ହୋଇଛି। ଅନ୍ୟପକ୍ଷରେ ପୁରୀ ସହରକୁ ସଂପୂର୍ଣ୍ଣ ଆଲୋକିତ କରିବାକୁ ଆହୁରି ସପ୍ତାହେ ସମୟ ଲାଗିବ। ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସଂଯୋଗ ପାଇଁ ଦୁଇ ମାସ ଲାଗିପାରେ ବୋଲି କୁହାଯାଉଛି।

ପୁରୀ ଜିଲ୍ଲାକୁ ପୁରୀ, ନିମାପଡ଼ା ଓ ଖୋର୍ଦ୍ଧା ଡିଭିଜନ୍‌ରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ପୁରୀ ଡିଭିଜନ୍ ପକ୍ଷରୁ ସର୍ବାଧିକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ନିମାପଡ଼ା ଡିଭିଜନ୍ ପକ୍ଷରୁ କାକଟପୁର, ଗୋପ, ଅସ୍ତରଙ୍ଗ ଆଦି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ସେହିପରି ଖୋର୍ଧା ଡିଭିଜନ୍ ପକ୍ଷରୁ ଅଳ୍ପ କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ପୁରୀ ଡିଭିଜନ୍ ଅଧୀନରେ ତିନୋଟି ଗ୍ରୀଡ଼୍‌ ଭୂଦାନ ଗ୍ରୀଡ଼୍‌, ଶାମୁକା ଗ୍ରୀଡ଼୍‌ ଓ ସମଙ୍ଗରା ଗ୍ରୀଡ଼୍‌ ରହିଛି। ଭୂଦାନ ଓ ସମଙ୍ଗରା ଗ୍ରୀଡ଼୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଶାମୁକା ଗ୍ରୀଡ଼୍‌ରୁ ଆଜି ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ବଳିଆପଣ୍ଡାକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ସେହିପରି ଆଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଉପଜିଲ୍ଲାପାଳ ଆଦି ସରକାରୀ କାର୍ଯ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ପର୍ଯ୍ୟାୟ କ୍ରମେ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ସେସୁ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

ବଡ଼ଦାଣ୍ଡର ସମସ୍ତ ଷ୍ଟ୍ରିଟ୍ ଲାଇଟ୍‌କୁ ଆଜି ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ନିମାପଡ଼ା ଡିଭିଜନ୍ ପକ୍ଷରୁ ଦିନେ ଦୁଇ ଦିନ ଭିତରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି। ୧୩ ଦିନ ପରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବାରୁ ସମ୍ଭାବ୍ୟ ଅଘଟଣ ଓ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଜି ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ପୁଲିସ ସୁରକ୍ଷା ବଳୟରେ ବିଦ୍ୟୁତ୍ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମ୍ଭାବ୍ୟ ଅଘଟଣ ସ୍ଥାନକୁ ରଖାଯାଇଥିଲା। ସୂଚନାଯୋଗ୍ୟ, ୩ ତାରିଖରେ ଭୟଙ୍କର ଝଡ଼ବାତ୍ୟା ‘ଫନି’ ସଂଘଟିତ ହେବା ପରଠୁ ସମଗ୍ର ପୁରୀ ଜିଲ୍ଲା ଅନ୍ଧକାର ଭିତରେ ରହିଥିଲା। ଆଜି ଆଂଶିକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe