ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦ୍ଯାପନୀ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦେଶ ମାଟିରେ ଆପଣମାନେ ଦୁଇ ଦେଶ ମଧ୍ୟରେ ସଂପର୍କର ସେତୁ ହୋଇପାରିଛନ୍ତି। ଆମ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି। ଆପଣମାନେ ପ୍ରବାସରେ ରହି ମଧ୍ୟ ଓଡ଼ିଶାର ବିକାଶ ଓ ଅସ୍ମିତାର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି ଓ ସେ ଦିଗରେ କାମ ମଧ୍ୟ କରୁଛନ୍ତି। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଆମକୁ ଏକ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପର ଅବସର ଆଣିଦେଇଛି। ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ବିକାଶ ପାଇଁ ଡବଲ ଇଞ୍ଜିନ୍ ସହ ତୃତୀୟ ଇଞ୍ଜିନ୍ ଭାବେ ‘ପ୍ରବାସୀ ଇଞ୍ଜିନ୍’ ଯୋଡ଼ି ହୋଇଛି। ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶା ଏବେ ସମୃଦ୍ଧି ପଥରେ ଅଗ୍ରସର ହେବା ପାଇଁ ଯାତ୍ରା ଆରମ୍ଭ କରିସାରିଛି। ଆପଣମାନେ ବିଭିନ୍ନ ଦେଶରେ ରହୁଛନ୍ତି। ଆପଣମାନଙ୍କ ମଧ୍ୟରେ ସଫଳ ଶିଳ୍ପପତି, ପ୍ରଫେସନାଲ ଓ ଟେକ୍ନୋକ୍ରାଟମାନେ ମଧ୍ୟ ଅଛନ୍ତି। ଏ ଯାତ୍ରାରେ ଆପଣମାନେ ସାମିଲ ହେବା ଅତ୍ୟନ୍ତ ଜରୁରୀ। ପ୍ରବାସୀ ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଓଡ଼ିଶାର ବିକାଶ ପାଇଁ ସେମାନେ ଚାହୁଁଥିବା ବିଷୟଗୁଡ଼ିକ ମଧ୍ୟର ସମନ୍ବୟ ରଖିବା ଜଣେ ମନ୍ତ୍ରୀ ସ୍ବତନ୍ତ୍ର ଭାବେ ଦାୟିତ୍ବରେ ରହିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ପ୍ରଣୟନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଆଗାମୀ ଦିନରେ କୁଏତ ଓ କାତାରକୁ ବିମାନ ଚଳାଚଳ ନେଇ ଆମେ ବିଚାର କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ
ପ୍ରବାସୀ ଓଡ଼ିଆ ନୀତି ପ୍ରଣୟନ ହେବ
୨୦୩୬ରେ ଓଡ଼ିଶା ହେବ ବିଶ୍ୱର ‘ହାପେନିଂ ପଏଣ୍ଟ୍’: ଧର୍ମେନ୍ଦ୍ର
କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ନିଜେ ଏବଂ ଅନ୍ୟମାନଙ୍କୁ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ ହେବାର ସଂକଳ୍ପ ନେବାକୁ ହେବ।୨୦୩୬ରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମରେ ଓଡ଼ିଶା ବିଶ୍ୱର ‘ହାପେନିଂ ପଏଣ୍ଟ୍’ ହେବ। ଓଡ଼ିଶାରେ କଶ୍ମୀରରୁ କନ୍ୟାକୁମାରୀ ଭଳି ସମସ୍ତ ଜିନିଷ ଉପଲବ୍ଧି ଅଛି। ଓଡ଼ିଶା କେବଳ ସୁଦୀର୍ଘ ବେଳାଭୂମି, ଖଣିଜ ସମ୍ପଦ, ଜଙ୍ଗଲ, ଉର୍ବର ଜମି ଏବଂ କଳା ଓ ସଂସ୍କୃତିର ବୈଭବରେ ପରିପୂର୍ଣ୍ଣ ନୁହେଁ। ବୌଦ୍ଧିକ ମାନବ ସମ୍ବଳ ଓଡ଼ିଶାର ବଡ଼ ସମ୍ପତ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରବାସୀ ଓଡ଼ିଆ। ଅନେକ ପ୍ରବାସୀ ଓଡ଼ିଆ ଭାଷାରେ ପାଠ ପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ଜାତି, ସଭ୍ୟତା, ସଂସ୍କୃତି, ସଂଭ୍ରମତାର ଜୀବନ୍ତ ପ୍ରତୀକ। ଘରେ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ପାଇଁ ସେ ପ୍ରବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ମନ୍ତ୍ରୀ ସଂପଦ ଚରଣ ସ୍ୱାଇଁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଦେଶରୁ ଆସିଥିବା ପ୍ରବାସୀମାନେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।
Follow Us