କ୍ୟାପିଟାଲ ହସ୍‌ପିଟାଲରେ ପ୍ରଦୀପ ମହାରଥୀ : ଦେଇ ପାରିଲେନି ଭୋଟ୍‌, ଆଜି ଜାମିନ୍‌ ଆବେଦନ ଶୁଣାଣି

Advertisment
କ୍ୟାପିଟାଲ ହସ୍‌ପିଟାଲରେ ପ୍ରଦୀପ ମହାରଥୀ : ଦେଇ ପାରିଲେନି ଭୋଟ୍‌, ଆଜି ଜାମିନ୍‌ ଆବେଦନ ଶୁଣାଣି

News Nation

ଭୁବନେଶ୍ୱର : ଶେଷରେ ନିଜ ପାଇଁ ମଧ୍ୟ ଭୋଟ୍‌ ଦେଇ ପାରିନାହାନ୍ତି ପିପିଲି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। କାର୍ଯ୍ୟରତ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରି ଗିରଫ ହେବା ପରେ କ୍ୟାପିଟାଲ ହସ୍‌ପିଟା‌ଲରେ ଚିକିତ୍ସାଧୀନ ଅଛନ୍ତି। ଫଳରେ, ସେ ଆଜି ନିଜର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଟେଲିଫୋନ୍‌ ଓ କର୍ମୀଙ୍କ ଜରିଆରେ ତାଙ୍କ ଅଞ୍ଚଳରୁ ଘଡ଼ିକୁ ଘଡ଼ି ଖବର ଆସୁଥିଲା। ସେଠାରେ ସ୍ଥିତି କଣ ରହିଛି, ତାଙ୍କ ଗିରଫଦାରୀ ପରେ ଲୋକଙ୍କ ମଧ୍ୟ‌ରେ କଣ ବିଚାର ଚାଲିଛି, ସେ ନେଇ ତଥ୍ୟ ସଂଗ୍ରହ ହେଉଥିବା ଦେଖାଯାଇଥିଲା। ପରିବାରବର୍ଗଙ୍କ ଛଡ଼ା କେତେକ ହାତଗଣତି ବଛା ବଛା କର୍ମୀଙ୍କୁ କେବଳ ଏହା ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା।

ଅନ୍ୟପଟେ ଆସନ୍ତାକାଲି ତାଙ୍କ ଜାମିନ୍‌ ଆବେଦନର ଶୁଣାଣି ରହିଛି। ସ୍ବତନ୍ତ୍ର ଜଜ୍‌ ତଥା ଏଡିଜେ-୩ ଏହି ଆବେଦନର ଶୁଣାଣି କରିବେ। ପୂର୍ବରୁ କୋର୍ଟରେ ଏଥିପାଇଁ ଆବଶ୍ୟକ କାଗଜପତ୍ର ମହାରଥୀଙ୍କ ପକ୍ଷରୁ ଓକିଲ ଦାଖଲ କରି ସାରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ ଏହି ଆବେଦନର ଶୁଣାଣି କରାଯାଇପାରେ ବୋଲି ଆଶା କରାଯାଉଛି।

ଗତକାଲି ବିଳମ୍ବିତ ରାତିରେ ସେ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ ହସ୍‌ପିଟାଲ୍‌ରୁ ଏଠାକୁ ସ୍ଥାନାନ୍ତର ହୋଇଛନ୍ତି। ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ସମସ୍ୟା ନେଇ ଜେଲ୍‌ ଡାକ୍ତର ତାଙ୍କୁ ସ୍ଥାନାନ୍ତର କରିଛନ୍ତି। କ୍ୟାପିଟାଲ ହସ୍‌ପିଟାଲର ତଳ ମହଲାରେ ଥିବା ନର୍ସିଂ ହୋମ୍‌ ନଂ ୫ରେ ତାଙ୍କୁ ରଖାଯାଇଛି। ଗତକାଲି ତାଙ୍କର ଜାମିନ ଆବେଦନ ଶୁଣାଣି ସ୍ଥଗିତ ରହିବା ପରେ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। ସେ ଦୁଇ ଦୁଇ ଥର କୋର୍ଟ ରୁମ୍‌ରେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ଓକିଲ ସ୍ବାସ୍ଥ୍ୟଗତ ସମସ୍ୟା ସଂପର୍କିତ କାଗଜପତ୍ର କୋର୍ଟରେ ଦାଖଲ କରି ଚିକିତ୍ସା ପାଇଁ ଆବେଦନ କରିଥିଲେ। ଝାରପଡ଼ା ଜେଲ୍‌ ପରିସରରେ ଥିବା ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ଆଦେଶ ହୋଇଥିଲା। ସମସ୍ୟା ଗୁରୁତର ହେବାରୁ ତାଙ୍କୁ ବଡ଼ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇ ପାରେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ୨୧ ତାରିଖ ବିଳମ୍ବିତ ରାତି‌ରେ ତାଙ୍କର ଫାର୍ମହାଉସ୍‌ରେ ଭୋଜିଭାତ ଚାଲିଥିବା ଖବର ପାଇ ଭିଡିଓଗ୍ରାଫରଙ୍କ ସହ ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ସଦଳବଳ ଚଢ଼ଉ କରିଥିଲେ। ସେମାନଙ୍କୁ ଅଟକ ରଖି ଶ୍ରୀ ମହାରଥୀ କର୍ମୀମାନଙ୍କ ସହାୟତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀଙ୍କ ସମେତ ପୁଲିସ ଓ ଭିଡିଓଗ୍ରାଫର ଆହତ ହୋଇଥିଲେ। ସେମାନଙ୍କର କ୍ୟାମେରା ମଧ୍ୟ ଭାଙ୍ଗି ଯାଇଥିଲା। ଅଭିଯୋଗକୁ ଆଧାର କରି ଗତକାଲି ସକାଳେ ପିପିଲି ପୁଲିସ ଶ୍ରୀ ମହାରଥୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe