ପ୍ରଦୀପ-ପାଠକ ଲିଙ୍କ୍‌: ତଥ୍ୟ ନେଇ ଫେରିଲେ କ୍ରାଇମ୍‌ବ୍ରାଞ୍ଚ୍‌, ଏସ୍ଆଇଟି

Advertisment
ପୁଣି ଜାମିନ ପାଇଁ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ ହାଇକୋର୍ଟଙ୍କ ଦ୍ବାରସ୍ଥ

୧୮ଜଣଙ୍କ ବୟାନ୍‌, ୨ ହଜାର ପୃଷ୍ଠାର ତଥ୍ୟ ନେଲେ
ପାଠକ ପରିବାରର ୪ ଆକାଉଣ୍ଟ୍‌ ତଥ୍ୟ ଆହୁରି ଖୋଳିବେ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନେଇ ଏବେ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଏମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଓ କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଟିମ୍‌ ତଦନ୍ତ ଚଳାଇଛି। ଏହି ଦୁଇଟି ଟିମ୍‌ ଗତ କିଛିଦିନ ଧରି ବ୍ରହ୍ମପୁରରେ ଡେରା ପକାଇ ତଦନ୍ତ କରି ଆଜି କଟକ ଫେରିଛନ୍ତି। ପ୍ରଦୀପ- ପାଠକ ପରିବାର ବିରୋଧରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଟିମ୍‌ ଦ୍ବୟ ହାତରେ ଲାଗିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଭୟଙ୍କ ପରିବାରର ବ୍ରହ୍ମପୁରରେ ଥିବା ୪ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ର ସବିଶେଷ ବିବରଣୀ ଭିଜିଲାନ୍ସ ସେଲ୍‌ର ହସ୍ତଗତ ହୋଇଥିଲେ ହେଁ ତା'ର ସମ୍ପୂର୍ଣ୍ଣ ଯାଞ୍ଚ୍‌ ସରି ନାହିଁ। ଏହି ପ୍ରକ୍ରିୟା ଆହୁରି ଲମ୍ବା ଓ ସମ୍ପୂର୍ଣ ଯାଞ୍ଚ‌୍ ପରେ ବହୁ ରୋଚକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ପାଠକ ପରିବାରର ୪ ଆକାଉଣ୍ଟ୍‌କୁ ପ୍ରଦୀପଙ୍କ ଆକାଉଣ୍ଟ୍‌ରୁ କେତେ ଅର୍ଥ ଆସିଛି ତାହାକୁ ଏସ୍‌ଆଇଟି ଗୁରୁତ୍ବର ସହ ଅନୁଧ୍ୟାନ କରୁଛି।

ଗୋପାଳପୁର ନିର୍ବାଚନମଣ୍ଡଳ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଅଭୟଙ୍କ ପୁଅ ଆକାଶ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ପରେ ଟାଟା ମୋଟର୍ସ ଗତ ସେପ୍ଟେମ୍ବର ମାସରେ କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ସେଲ୍‌ରେ ଅଭିଯୋଗ ଦାଖଲ କରିଥିଲା। ଏହାକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। କ୍ରାଇମ୍‌ବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୧୦ଜଣିଆ ଟିମ୍‌ ଗତ ୨୯ତାରିଖରେ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ମଧ୍ୟ ବ୍ରହ୍ମପୁର ଆସି ତଦନ୍ତର ତଦାରଖ କରିଥିଲେ। ଦୀର୍ଘ ୭ଦିନ ଧରି ତଦନ୍ତ କରିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ‌ଫେରିଛି। ଏହି ତଦନ୍ତ ସମୟରେ ପ୍ରାୟ ୧୮ଜଣଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଏଥିସହ ଠକେଇର ଶିକାର ହୋଇଥିବା ଲୋକଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ସଂଗ୍ରହ କରିଛି। ବିଭିନ୍ନ ବ୍ୟାଙ୍କରେ ରହିଥିବା ବିଧାୟକ ପ୍ରଦୀପଙ୍କ ଆକାଉଣ୍ଟ୍‌ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ଆଇଏଫ୍‌ଏସ୍‌ ଅଭୟଙ୍କ ବିରୋଧରେ ଆସିଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଏସ୍‌ଆଇଟି ତଦନ୍ତ କରୁଛି। ଗତ ୧ତାରିଖରେ ଏକ ୩ଜଣିଆ ଦଳ ବ୍ରହ୍ମପୁର ଠାରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ଶ୍ରୀ ପାଠକ ବ୍ରହ୍ମପୁର ଡିଏଫ୍‌ଓ ଏବଂ ଓଏଫ୍‌ଡିସିର ସାଧାରଣ ପରିଚାଳକ ଭାବେ କାର୍ଯ୍ୟ କରିଥିଲେ। ଏସ୍‌ଆଇଟି ଟିମ୍‌ ବ୍ରହ୍ମପୁର ଡିଏଫ୍ଓ ଏବଂ ଓଏଫ୍‌ଡିସି କାର୍ଯ୍ୟାଳୟକୁ ଯାଇ ପ୍ରାୟ ୨ହଜାର ପୃଷ୍ଠାରୁ ଅଧିକ ତଥ୍ୟ, ପ୍ରମାଣ ଜେରକ୍ସ କରି ନେଇଛି। ଏଥିସହ ବ୍ରହ୍ମପୁର ମେଡିକାଲ ଏସ୍‌ବିଆଇ ଶାଖାରେ ଅଭୟଙ୍କ ପରିବାରର ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟ୍‌ର ବିବରଣୀ ହାସଲ କରିଛି। ଉକ୍ତ ଆକାଉଣ୍ଟ୍‌ଗୁଡ଼ିକରେ ୫ଲକ୍ଷରୁ ଅଧିକ ଟଙ୍କା ଜମା ରହିଥିବା ବେଳେ ଗତ ବର୍ଷକ ମଧ୍ୟରେ ଅଧିକ ନେଣଦେଣ ହୋଇଥିବା ଜଣାପଡ଼ିଛି। ବର୍ଷକ ମଧ୍ୟରେ ହୋଇଥିବା ନେଣଦେଣକୁ ଅନୁଧ୍ୟାନ ପରେ ବହୁ ରୋଚକ ତଥ୍ୟ ପଦାକୁ ଆସିବ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe