ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହେଲା  ଉତ୍ସବ ‘ପ୍ରଧାନପାଟ’

Advertisment
ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହେଲା  ଉତ୍ସବ ‘ପ୍ରଧାନପାଟ’

ଦେବଗଡ଼: ସଂସ୍କୃତି ବିଭାଗ ଓଡ଼ିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ୫ଦିନ ଧରି ଚାଲିବାକୁ ଥିବା ‘ଉତ୍ସବ ପ୍ରଧାନପାଟ-୨୦୨୨’ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନପାଟ ଜଳପ୍ରପାତର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଉତ୍ସବ ପ୍ରଧାନପାଟକୁ ଉଦ୍‌ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲାର କଳା, ସଂସ୍କୃତି ପର୍ଯ୍ୟାଲେଚନା କଲେ ବେଶ ଅତୁଳନୀୟ ଏବଂ ଉକ୍ତ ଉତ୍ସବ ମାଧ୍ୟମରେ ଲୁକ୍କାୟିତ କଳା ତଥା ଲୋକନୃତ୍ୟ ଲୋକଲୋଚନକୁ ଆସି ପାରିବ‌। ପ୍ରଧାନପାଟ ଜଳପ୍ରପାତର ବିକାଶ ସହିତ ଜିଲ୍ଲାରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଯିବ।

ଦଳମତ ନିର୍ବିଶେଷରେ ଦେବଗଡ ଜିଲ୍ଲାକୁ ଉନ୍ନତ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜନସାଧାରଣଙ୍କ ସମସ୍ତଙ୍କ ସହଯୋଗ ନିତାନ୍ତ ଜରୁରୀ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହା ସହିତ ସେ କହିଥିଲେ, ପ୍ରଧାନପାଟ ଜଳ ପ୍ରପାତ ଦେବଗଡ଼ ଜିଲ୍ଲାର ପରିଚୟ ଓ ଗର୍ବ।

ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଦେବଗଡ ପୌର ପରିଷଦର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଦେବଗଡ ଏସପି ରାଜକିଶୋର ପାଇକରାୟ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ତିଲେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ବଡବଗିଚା ଠାରେ ୨୭ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଓରମାସ ପକ୍ଷରୁ  ପଲ୍ଲିଶ୍ରୀ ମେଳା, ଖାଦ୍ୟମେଳା  ଓ ପୁସ୍ତକ ମେଳା ସହ  ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଉନ୍ନୟନ ପ୍ରଦର୍ଶନୀ ଷ୍ଟୋଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଉକ୍ତ ପଲ୍ଲିଶ୍ରୀ ମେଳାରେ ୧୭୬ଟି ଷ୍ଟଲ ଖୋଲା ଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ। କାର୍ଯ୍ୟକ୍ରମକୁ ଡିଆଇପିଆରଓ ମନୋରଞ୍ଜନ ସୂତାର ପରିଚାଳନା କରିଥିଲେ। ପ୍ରାରମ୍ଭରେ ଦେବଗଡ଼ର ସୁରସଙ୍ଗମ ଅନୁଷ୍ଠାନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଏହାପରେ ଚିପିଲିମାର କଳାବିକାଶ କେନ୍ଦ୍ର ପକ୍ଷରୁ ଓଡିଶୀ ନୃତ୍ୟ, ସୋନପୁର ସୁଆଙ୍ଗ ଡ୍ୟାନ୍‌ସ ଗ୍ରୁପ ତଥା ବିଭିନ୍ନ ଲୋକନୃତ୍ୟ ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe