ନିଷ୍ଠାପର, ନୀତିବାନ ବ୍ୟକ୍ତି ଥିଲେ ପ୍ରଦ୍ୟୁମ୍ନ ବାବୁ : ମୁଖ୍ୟମନ୍ତ୍ରୀ

ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ

ନିଷ୍ଠାପର, ନୀତିବାନ ବ୍ୟକ୍ତି ଥିଲେ ପ୍ରଦ୍ୟୁମ୍ନ ବାବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଦ୍ୟୁମ୍ନ ବାବୁ ଜଣେ ନିଷ୍ଠାପର ଓ ନୀତିବାନ ବ୍ୟକ୍ତି ଥିଲେ। ସେ ତାଙ୍କର ପୂରା ଜୀବନ ସମାଜସେବାରେ ବିତାଇ ଦେଇଥିଲେ। ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତିଷ୍ଠା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲେ। ‘ପ୍ରଗତିବାଦୀ’ ଭଳି ଏକ ନିରପେକ୍ଷ ସମ୍ବାଦ ପତ୍ରିକା ବାହାର କରି ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରସାର ଦିଗରେ ଆପ୍ରାଣ ଉଦ୍ୟମ ଚଳାଇଥିଲେ। ସମାଜର ସମସ୍ତ ସମସ୍ୟା ତଥା ଦୁର୍ବଳ ଶ୍ରେଣୀ ଲୋକମାନଙ୍କ ଅସୁବିଧା ସମ୍ପର୍କରେ କଲମ ଚାଳନା ତାଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ପରିଗଣିତ କରିପାରିଥିଲା। ବିଶେଷକରି ଗାନ୍ଧୀବାଦର ପ୍ରଚାରପ୍ରସାର ଦିଗରେ ତାଙ୍କର ଆଭିମୁଖ୍ୟ, ତାଙ୍କ ଅବର୍ତ୍ତମାନରେ ମଧ୍ୟ ପ୍ରଗତିବାଦୀ ବଜାୟ ରଖିପାରିଛି। ଏହା ଅତ୍ୟନ୍ତ ଆନନ୍ଦର ବିଷୟ। ମଞ୍ଚେଶ୍ବରସ୍ଥିତ ପ୍ରଗତିବାଦୀ କାର୍ଯ୍ୟାାଳୟରେ ଅନୁଷ୍ଠିତ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ତଥା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ‘ପ୍ରଗତିବାଦୀ’ ଲାଗି ଆଜି ଏକ ଐତିହାସିକ ଦିନ। ଏହାର ପ୍ରତିଷ୍ଠାତା ତଥା ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତାର ପ୍ରତୀକ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ଜନ୍ମବାର୍ଷିକୀ ସହ ଆଜି ପ୍ରଗତିବାଦୀ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରୁଛି। ଏହି ଅବସରରେ ଶ୍ରୀ ବଳଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ପ୍ରଗତିବାଦୀ ପରିବାରର ସମସ୍ତ ସଦସ୍ୟ, ଶୁଭେଚ୍ଛୁମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ପ୍ରଗତିବାଦୀ ପକ୍ଷରୁ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହ ଅଭିନନ୍ଦନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଲେ ଯେ ଧର୍ମନିରପେକ୍ଷତା, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ନ୍ୟାୟ ପାଇଁ ସାଲିସବିହୀନ ମାନଦଣ୍ଡ ଗ୍ରହଣ କରି ପ୍ରଦ୍ୟୁମ୍ନ ବଳ ଓଡ଼ିଶା ଇତିହାସରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଯାହା ଆଜି ୫୦ ବର୍ଷରେ ପହଞ୍ଚିବା ସହ ତା’ର ସ୍ବାତନ୍ତ୍ରତା ବଜାୟ ରଖିଛି। ଅନ୍ୟତମ ଅତିଥ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ, ପ୍ରଦ୍ୟୁମ୍ନ ବଳ ଏଭଳି ଜଣେ ସାମ୍ବାଦିକ ଓ ରାଜନେତା ଥିଲେ ଯିଏ ଜୀବନରେ ସାଲିସ କରିବା ଶିଖିନଥିଲେ।

କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ତଥା ସାଂସଦ ଅଚ୍ୟୁତ ସାମନ୍ତ ଅଧ୍ୟକ୍ଷତା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଗତିବାଦୀର ନିର୍ଦ୍ଦେଶିକା ମୋନାଲିସା ବଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଶାଶ୍ବତୀ ବଳ ମଞ୍ଚାସୀନ ରହି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe