Advertisment

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କଲେ ପ୍ରଣବ ପ୍ରକାଶ: ‘କେନ୍ଦ୍ରମନ୍ତ୍ରୀ ଥାଇ ଦେବଗଡ଼ ଜିଲ୍ଲା ପାଇଁ କ’ଣ କରିଛନ୍ତି’

Advertisment
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କଲେ ପ୍ରଣବ ପ୍ରକାଶ: ‘କେନ୍ଦ୍ରମନ୍ତ୍ରୀ ଥାଇ ଦେବଗଡ଼ ଜିଲ୍ଲା ପାଇଁ କ’ଣ କରିଛନ୍ତି’

ଦେବଗଡ଼/ରିଆମାଳ: ‘ଲୋକଙ୍କ ଭାବାବେଗକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ଜଗନ୍ନାଥ ପ୍ରକଳ୍ପ ହେଉକି ସମଲେଇ ପ୍ରକଳ୍ପ, ମିଥ୍ୟା ପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତି ବଳରେ ଭୋଟ୍‌ ମାଗିବାକୁ ଆସିଛନ୍ତି। ଦାଦନ ଭଳି ଉତ୍ତରପ୍ରଦେଶରୁ ରାଜ୍ୟସଭା ଯାଇଥିବା ବ୍ୟକ୍ତି ଓଡ଼ିଶାର ରାଜମିସ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସବୁବେଳେ କାମରେ ବିଶ୍ବାସ କରିଥାଏ। ନିର୍ବାଚିତ ହୋଇଥିବା ବିରୋଧୀମାନେ ଦେବଗଡ଼ ଜିଲ୍ଲାର ଉନ୍ନତି କିଛି ବି କଲେ ନାହିଁ। କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ପାଇଁ କଣ କରିଛନ୍ତି?’ ଏମିତି ପ୍ରଶ୍ନ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ରବିବାର ତିଲେଇବଣିଠାରେ ଅନୁଷ୍ଠିତ ବିଜେଡିର ବୁଥ୍‌ସ୍ତରୀୟ ପ୍ରଣିକ୍ଷଣ ଶିବିରରେ ଯୋଗଦେଇ ଶ୍ରୀ ଦାସ ବିରୋଧୀଙ୍କୁ ଟାର୍ଗେଟ୍‌ କରିବା ସହିତ ଓଡ଼ିଶାର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରୁଥିବା ନେତାଙ୍କୁ ଆଗାମୀ ଦିନରେ ଜନସାଧାରଣ ଉଚିତ ଜବାବ ଦେବାର ସମୟ ଆସିଛି ବୋଲି କହିଥିଲେ।

ଜିଲ୍ଲା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସହ ଦଳୀୟ ନେତାମାନେ ଉପସ୍ଥିତ ଥିଲେ। ଏହାପରେ ତିଲେଇବଣି ବ୍ଲକ୍‌ର ଗଜୁରୀବଣି ଗ୍ରାମରେ ଖାଡ଼ିଆ ସମାଜ ପକ୍ଷରୁ ଶ୍ରୀ ଦାସଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ପରେ ବାରକୋଟ ବ୍ଲକ୍‌ର ଗୁଣ୍ଡୁରିପୋଷି ଗ୍ରାମ ଏବଂ ଦେବଗଡ଼ ପୌରାଚଂଳର ସେଣ୍ଟର ଫର୍‌ କଲଚରଠାରେ ବୁଥ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଶ୍ରୀ ଦାସ ଯୋଗ ଦେଇ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ରିଆମାଳ ବ୍ଲକ୍‌ର ବୁଥ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଶ୍ରୀ ଦାସ ଯୋଗ ଦେଇ ବିଜେଡି ପ୍ରତି ଭରସା ରଖି ୨ଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe