ପ୍ରସାଦ ଖାଇ ଝାଡ଼ାବାନ୍ତି: ୨ ମୃତ, ୫୦ରୁ ଊର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

Advertisment

ଧରାକୋଟ ବ୍ଲକ୍‌ ଓଳମ୍ବା ଓ ବରଡ଼ାବିଲିକୁ ବ୍ୟାପିଲା, ଅନେକଙ୍କୁ ମେଡିକାଲ ନନେଇ ଘଟକଳସୀ ଓ ଝଡ଼ାଫୁଙ୍କା!

ଧରାକୋଟ ବ୍ଲକ୍‌ ଓଳମ୍ବା ଓ ବରଡ଼ାବିଲିକୁ ବ୍ୟାପିଲା, ଅନେକଙ୍କୁ ମେଡିକାଲ ନନେଇ ଘଟକଳସୀ ଓ ଝଡ଼ାଫୁଙ୍କା!

ପ୍ରସାଦ ଖାଇ ଝାଡ଼ାବାନ୍ତି: ୨ ମୃତ, ୫୦ରୁ ଊର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାରପୁର ପଞ୍ଚାୟତର ବାଖରକଟା ଗାଁରେ ବ୍ୟାପିଥିବା ଝାଡ଼ାବାନ୍ତି ଯୋଗୁ ଗୁରୁତର ବୁଲୁ ଗୌଡ଼(୩୨) ଓ ବୁଦ୍ଧିଆ ଗୌଡ଼(୫୫)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଦୁହିଁଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରସାଦ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ , ବାଖରକଟା ଗ୍ରାମରେ ଗତ ତିନିଦିନ ଧରି ଦଣ୍ଡନାଚ ଓ ମଙ୍ଗଳବାର ଠାକୁରାଣୀଙ୍କ ଚୈତ୍ରପର୍ବ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀ ପ୍ରସାଦ ଖାଇବା ସହ ନବାତ ପଣା ସେବନ କରିଥିଲେ। ଯେଉଁଥିପାଇଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି। ଏହାପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲଥିବାବେଳେ କିଛି ଆକ୍ରାନ୍ତଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଉ କିଛି ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଖରକଟା ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଏମ୍‌ଭିକେ ଅଶୋକଙ୍କ ଉପସ୍ଥିତିରେ ବି ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍‌ ଖୋଲାଯାଇଛି। ଜିଲ୍ଲା ଭ୍ରାମ୍ୟମାଣ ମେଡିକାଲ ଟିମ୍ ପରିସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ସଂକ୍ରମଣ ବିଭାଗର ଅଧିକାରୀମାନେ ପହଞ୍ଚି ପରିସ୍ଥିତିର ତର୍ଜମା କରିଛନ୍ତି। ଏବେ ଝାଡ଼ାବାନ୍ତି ବାଖରକଟା ଗ୍ରାମରୁ ପଡ଼ୋଶୀ ଓଳମ୍ବା ଓ ବାହାରପୁର ଗ୍ରାମକୁ ମଧ୍ୟ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟପଟେ ଗ୍ରାମବାସୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କା କରିବା ସହ ଗୁଣିଗାରେଡ଼ିରେ ବିଶ୍ୱାସ ରଖି ଗ୍ରାମରେ ଘଟକଳସି ବୁଲାଇ ପୂଜାର୍ଚ୍ଚନା କରୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଧରକୋଟ ବ୍ଲକ୍‌ ଅଧ୍ୟକ୍ଷା ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ବାଖରକଟା ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଭେଟିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେବାସହ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe