ବାଲିଅନ୍ତା: ଖୋର୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସାତକାଣିଆସ୍ଥିତ ପ୍ରତାପଶାସନ ଗ୍ରିଡ ସବ ଷ୍ଟେସନ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚୁଆଲରେ ଉଦ୍ଘାଟିତ ହୋଇଯାଇଛି। ଏନେଇ ଆୟୋଜିତ ସଭାରେ ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ୨୨୦/୧୩୨/୩୩ କେଭି ବିଶିଷ୍ଟ ଉକ୍ତ ଗ୍ରିଡରୁ ପ୍ରତାପଶାସନ, ବାଲିଅନ୍ତା, ପିପିଲି ଓ ବାଲିପାଟଣା ଆଦି ଅଞ୍ଚଳକୁ ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଥିଲା।
୧୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୫/୧୬ ଆର୍ଥିକ ବର୍ଷରେ ୧୫ ଏକର ପରିମିତ ଜମିରେ ଉକ୍ତ ଗ୍ରିଡ୍ ନିର୍ମାଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହା ପୂର୍ବରୁ ଉପରୋକ୍ତ ସବୁ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ନେଇ କେଶୁରା ଗ୍ରିଡ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଉପୁଜୁଥିଲା। ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ଲାଗି ରହିବା ସହ ଲୋ ଭୋଲଟେଜ୍ ସମସ୍ୟା ଯୋଗୁଁ ଲୋକ ହନ୍ତସନ୍ତ ହେଉଥିଲେ। ଅନ୍ୟ ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ଓପିଟିସିଏଲ ସେଣ୍ଟ୍ରାଲ ଜୋନ୍ ନିର୍ଦ୍ଦେଶକ ଜୟନ୍ତ କୁମାର ସେନାପତି, ଜିଏମ୍ ପି.କେ ଦାଶ, ଡିଜିଏମ୍ ଏସ୍ଏନ୍ ପଣ୍ଡା, ବାଳକାଟି ସେକ୍ସନ୍ ଯନ୍ତ୍ରୀ ରୁଦ୍ରପ୍ରସାଦ ଭଞ୍ଜ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ସରୋଜ କୁମାର ପଣ୍ଡା ଓ ବିଡିଓ ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।
Follow Us