ନୟାଗଡ଼ରେ ପ୍ରତ୍ୟୁଷାଙ୍କ ଶକ୍ତି ପ୍ରଦର୍ଶନ: ୨୦୨୪ ପାଇଁ ବିଜେପି ରାଜନୀତି ସରଗରମ

ନୟାଗଡ଼ରେ ପ୍ରତ୍ୟୁଷାଙ୍କ ଶକ୍ତି ପ୍ରଦର୍ଶନ: ୨୦୨୪ ପାଇଁ ବିଜେପି ରାଜନୀତି ସରଗରମ

ନୟାଗଡ଼ : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଢେର୍‌ ଦିନ ବାକି ରହିଛି। ହଠାତ୍‌ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ସକ୍ରିୟ ହେବା ସହ ମାଛିପଡ଼ାରେ ବନ୍ଧୁମିଳନ ଆଳ‌ରେ କର୍ମୀ ସମ୍ମିଳନୀ କରିଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଏଭଳି ବୈଠକ କରାଯିବ ବୋଲି ସୂଚନା ଦିଆଯାଇଛି। ଏଣେ ଇରାନୀ ରାୟ ମଧ୍ୟ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ପୂର୍ବ ଭଳି ନିଜର ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି।

ପ୍ରତ୍ୟୁଷା ନିଶ୍ଚିତ ଭାବେ ବିଜେପିର ନୟାଗଡ଼ ବିଧାୟକ ପ୍ରାର୍ଥୀ ହେଉଥିବା ‘ସମ୍ବାଦ’କୁ ପ୍ରତିକ୍ରିୟା ଦେବାପରେ ଆଜି ବିଜେପିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। ଆଜିର କର୍ମୀ ସମ୍ମିଳନୀରେ ପ୍ରତ୍ୟୁଷା ପାଦେ ଆଗେଇ ଯାଇ କହିଥିଲେ ଏକ ଭୟ ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଠନ କରିବେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁନର୍ବାର ସାଂସଦ ପ୍ରାର୍ଥୀ ହେଉଛନ୍ତି ଏବଂ ପ୍ରତ୍ୟୁଷା ବିଧାୟିକା ପ୍ରାର୍ଥିନୀ ଭାବେ ଲଢ଼ିବେ। ତେଣୁ ଉଭୟଙ୍କ ନେତୃତ୍ବକୁ ଦୃଢ଼ କରିବାକୁ ଆହ୍ବାନ ଦିଆଯାଇଥିଲା। ପ୍ରତ୍ୟୁଷାଙ୍କ ସ୍ବାମୀ ତଥା ସ୍ବର୍ଗତ ସାଂସଦ ହେମେନ୍ଦ୍ର ସିଂହଙ୍କ ସମର୍ଥକଙ୍କୁ ପୁନର୍ବାର ଏକାଠି କରାଯାଇଥିବା ଦେଖିବାକୁ ମିଳିଛି।
ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ‘ସମ୍ବାଦ’କୁ ଫୋନ୍‌ ଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଧାମନଗର ଉପନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛି। ଦଳ ସହିତ ଥିବା ଲୋକଙ୍କୁ ହିଁ ଟିକେଟ୍‌ ମିଳେ। ନୟାଗଡ଼ ଟିକେଟ୍‌ ନେଇ ଯିଏ କହୁଛନ୍ତି ତାଙ୍କୁ ପ୍ରତିଶ୍ରୁତି ମିଳିଛି, ତାହା ଭିତ୍ତିହୀନ।’ ବିଜେପିର ନୀତି, ଆଦର୍ଶରେ ଆମେ ପରିଚାଳିତ, ସମୟକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe