ପ୍ରତ୍ୟୁଷାଙ୍କୁ ନେଇ କନ୍ଧମାଳରେ ଚର୍ଚ୍ଚା ଜୋର୍‌

ବିଭିନ୍ନ କାର୍ଯ୍ୟକ୍ରମ‌ରେ ‌ସାମିଲ୍‌ ହେଉଛନ୍ତି, ୨୦୨୪ରେ ବିଜେପିରୁ ସାଂସଦ ପ୍ରାର୍ଥୀ ହେବେ!

୨୦୨୪ରେ ମୁଁ  ବିଜେପି ବିଧାୟିକା ପ୍ରାର୍ଥୀ : ପ୍ରତ୍ୟୁଷା

NDTV.in

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରତ୍ୟୁଷାଙ୍କୁ ନେଇ କନ୍ଧମାଳ ଜିଲ୍ଲାରେ ରାଜନୈତିକ ମହଲରେ ସେତିକି ଚର୍ଚ୍ଚା ବଢ଼ିବାରେ ଲାଗିଛି। କିଛିଦିନ ଧରି ପ୍ରତ୍ୟୁଷାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି, ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଘନଘନ ଗସ୍ତ କରି ସାଧାରଣ ଲୋକଙ୍କ ସହ ମିଶୁଛନ୍ତି। ବିଭିନ୍ନ ବୈଠକରେ ଯୋଗଦେବା ସହ ଲୋକସମ୍ପର୍କ ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି। ଖାସ୍‌ କରି କିଛି ବିଜେଡି ନେତାଙ୍କ ଭୋଜିରେ ବି ତାଙ୍କୁ ଦେଖିବାକୁ ମିଳୁଛି। ଦୁଇଦିନ ତଳେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜହନ୍‌ ବାର୍ଲା ଯେତେବେଳେ ଗସ୍ତରେ ଆସିଥିଲେ, ସେତେ‌ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଓ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥିଲା। ଆଗାମୀ ସାଧାରଣ ନିର୍ବାଚନରେ ସେ ବିଜେପିରୁ ସାଂସଦ ପ୍ରାର୍ଥୀ ହେବାପାଇଁ ଏବେଠୁ ପ୍ରସ୍ତୁତ ହେଉଥିବା ସାଧାର‌ଣରେ ଆଲୋଚନା ଜୋର୍‌ ଧରିଛି।

୨୦୧୪ ମସିହାରେ ସ୍ୱାମୀ ହେମେନ୍ଦ୍ର ସିଂଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ବି‌ଜେଡିର ପ୍ରାର୍ଥୀ ହୋଇଥିଲେ ପ୍ରତ୍ୟୁଷା। ସ୍ବାମୀଙ୍କଠାରୁ ବି ସେ ରେକର୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ। ହେମେନ୍ଦ୍ର ୫୦.୨୧ପ୍ରତିଶତ ଭୋଟ ଅର୍ଥାତ୍‌ ୪ଲକ୍ଷ୨୧ହଜାର ୪୫୮ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତ୍ୟୁଷା ୬୧.୫୪ ପ୍ରତିଶତ ଭୋଟ ଅର୍ଥାତ ୪ଲକ୍ଷ ୭୭ ହଜାର ୫୨୯ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ସମର୍ଥକଙ୍କ କହିବାନୁସାରେ, ନିର୍ବାଚନରେ ବିଜୟ ହାସଲ ପରେ ପ୍ରତ୍ୟୁଷା କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ବୁଲିବା ସହ ଜିଲ୍ଲାର ବିକାଶ ତଥା ସ୍ବର୍ଗତ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ସାକାର କରିବା ନିମନ୍ତେ ଚେଷ୍ଟା କରିଥିଲେ। ସଂଗଠନ ସହ ନିର୍ବାଚନମଣ୍ଡଳୀର ବିକାଶକୁ ବି ପ୍ରାଧାନ୍ୟ ଦେଉଥିଲେ। ତେବେ, ଗତ ୨୦୧୯ ମସିହା ନିର୍ବାଚନରେ ଦଳ ତାଙ୍କ ବଦଳରେ ଡ.ଅଚ୍ୟୁତ ସାମନ୍ତଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ଏହାପରେ ଅର୍ଥାତ୍‌ ସେହିବର୍ଷ ମାର୍ଚ୍ଚ ମାସରେ ପ୍ରତ୍ୟୁଷା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରଠୁ ନିର୍ବାଚନମଣ୍ଡଳୀ ସହିତ ବରାବର ସମ୍ପର୍କ ରଖି ଆସୁଛନ୍ତି। ତେବେ, ଏହି କିଛିଦିନ ଧରି ନିର୍ବାଚନମଣ୍ଡଳୀକୁ ତାଙ୍କର ଗସ୍ତ ସହିତ ଲୋକସମ୍ପର୍କ ବଢ଼ିଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟୁଷା ଆଗାମୀ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କହିଛନ୍ତି।

publive-image Amarujala

ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରୁଥିବା ତାଙ୍କ ସମର୍ଥକମାନେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ ସହିତ ଯୁକ୍ତି ଦର୍ଶାଇବାକୁ ପଛାଉ ନାହାନ୍ତି। ସେମାନଙ୍କ କହିବା କଥା, ୨୦୧୯ ମସିହା ନିର୍ବାଚନରେ ବିଜେଡି ୪୯ପ୍ରତିଶତ ଭୋଟ ଅର୍ଥାତ ୪ଲକ୍ଷ ୬୧ହଜାର ୬୭୯ଖଣ୍ଡ ଭୋଟ ପାଇଥିଲା; ଯାହାକି ୨୦୧୪ରେ ପ୍ରତ୍ୟୁଷା ପାଇଥିବା ଭୋଟ ଠାରୁ ୧୨ପ୍ରତିଶତ କମ୍‌। ରାଜନୈତିକ କ୍ଷେତ୍ରରେ ପ୍ରତ୍ୟୁଷାଙ୍କ ଗୁରୁତ୍ବ କେତେ, ତାହା ଦର୍ଶାଇବା ପାଇଁ ସେମାନେ ଏହିଭଳି ଏକ ଚିତ୍ର ଦେଉଛନ୍ତି। ତେବେ, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମହାମେଘ ବାହାନ ଐର ଖାରବେଳ ସ୍ବାଇଁଙ୍କ ପରବର୍ତ୍ତୀ ରାଜନୈତିକ ଗତିବିଧି ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବି ନିଜର ମତ ରଖିଛନ୍ତି ଶ୍ରୀ ସ୍ବାଇଁ, ଯିଏ କି ଜଣେ ପୂର୍ବତନ ସାଂସଦ। ସେ କହିଛନ୍ତି, ‘ ତାଙ୍କ ଘର ବାଲେଶ୍ବର, କିନ୍ତୁ ଦଳ ତାଙ୍କୁ ଗଲାଥର କନ୍ଧମାଳ ଆସନରୁ ପ୍ରାର୍ଥୀ କରିଥିଲା। ଏହା ଦଳୀୟ ନିଷ୍ପତ୍ତି ଥିଲା ଏବଂ ଆଗାମୀ ନିର୍ବାଚନରେ କନ୍ଧମାଳ ଆସନରୁ କାହାକୁ ପ୍ରାର୍ଥୀ କରିବ ଏହା ଦଳ ନିଷ୍ପତ୍ତି ନେବ। ଏଥିପାଇଁ ସେ କୌଣସି ପ୍ରକାର ଲବିରେ ନାହାନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେ ସମ୍ମାନ ଦେବେ, ଯିଏ ବି ପ୍ରାର୍ଥୀ ହେବ ତାଙ୍କୁ ସମର୍ଥନ କରିବେ।’

ଅନ୍ୟପଟେ ଆଗାମୀ ୨୦୨୪ ମସିହା ନିର୍ବାଚନକୁ ଦୃଷ୍ଟିରେ ରଖି ସେ କୌଣସି ଲୋକସମ୍ପର୍କ ଅଭିଯାନ କରୁନଥିବା ଏବଂ କୌଣସି ଲବିରେ ନଥିବା ପ୍ରତ୍ୟୁଷା କହିଛନ୍ତି। ସେ କହିଛନ୍ତି, ‘ ତାଙ୍କ ସ୍ବାମୀଙ୍କ ଅଧୁରା ସ୍ବପ୍ନ ସାକାର କରିବାକୁ ସେ ସବୁବେଳେ ପ୍ରତିଶ୍ରୁତିବଦ୍ଧ ଏବଂ କନ୍ଧମାଳବାସୀଙ୍କ ବିକାଶ ଓ ସୁଖଦୁଃଖରେ ସେ ସବୁବେଳେ ସାଙ୍ଗରେ ରହିଛନ୍ତି।’

ସ୍ଥାନୀୟ ରା‌ଜନୈତିକ ବିଶାରଦଙ୍କ ମତ ହେଉଛି, ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବେ ଏବେଠୁ କହିବା ବହୁତ ଆଗୁଆ ହୋଇଯିବ। କିନ୍ତୁ, ଏହା ସତ ସେ ଏବେ ବିଭିନ୍ନ ସମୟରେ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତ୍ୟୁଷାଙ୍କୁ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe