ପ୍ରାକ ମୌସୁମୀ ବର୍ଷା ପରେ ଝରିଗାଁ ବ୍ଳକରେ ଚାଷ କାମ ଆରମ୍ଭ

ପ୍ରାକ ମୌସୁମୀ ବର୍ଷା ପରେ ଝରିଗାଁ ବ୍ଳକରେ ଚାଷ କାମ ଆରମ୍ଭ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ବ୍ଳକର ୯୦ ପ୍ରତିଶତ ଲୋକ ଲୋକ କୃଷି ଉପରେ ନିର୍ଭରଶୀଳ। ତେବେ ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଝରିଗାଁ ବ୍ଳକରେ ଥିବା ଜମିରେ ଜଳସେଚନ ସୁବିଧା ହୋଇ ପାରୁନାହିଁ। ତେଣୁ ସ୍ଥାନୀୟ ଚାଷୀ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ସଠିକ ସମୟରେ ବର୍ଷା ନହେଲେ ବର୍ଷକର ଚାଷ ବୁଡିବା ସମ୍ଭାବନା ରହିଥାଏ।

ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କ ଜମିରେ ଜଳ ସେଚନ ସୁବିଧା ପାଇଁ ବ୍ଳକର ବିଭିନ୍ନ ନାଳ ଓ ନଦୀ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିଲା। ତେବେ ଆଡ଼ିବନ୍ଧ ନିର୍ମାଣର ସ୍ଥାନ ନିରୂପଣ ଠିକ ନଥିବା ଯୋଗୁଁ ଆଡ଼ିବନ୍ଧ ଗୁଡିକ କୌଣସି କାମରେ ଆସୁନାହିଁ। ତେଣୁ ବର୍ଷା ପାଣି ଉପରେ ଚାଷୀ ମାନେ ନିର୍ଭର କରୁଛନ୍ତି। ଗତ କିଛି ଦିନ ତଳେ ଝରିଗାଁ ବ୍ଳକରେ ପ୍ରାକ ମୌସୁମୀ ବର୍ଷା ହେବା ପରେ ସ୍ଥାନୀୟ ଚାଷୀମାନେ ଚାଷ କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। କିଛି ଚାଷୀ ଧାନ ଜମିରେ ଲଙ୍ଗଳ ଲଗାଇ ଚାଷ କରିବା ସହ ଧାନ ଜମିରେ ବୁଣା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।

ଚଳିତ ବର୍ଷ ଝରିଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ୮୩୬୧ ହେକ୍ଟର ଜମିରେ ଧାନ ଚାଷ, ୭୪୩୬ ହେକ୍ଟର ଜମିରେ ମକା ଚାଷ ସହ ପ୍ରଥମ ଥର ପାଇଁ ୧୧୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ବେସରକାରୀ ଶଙ୍କର ଜାତୀୟ ଧାନ ବିହନ ଚାଷୀଙ୍କୁ ବେଳେ ବେଳେ ଧକା ଦେଉଥିବା ଯୋଗୁଁ ଝରିଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ସରକାରୀ ଅଧିକ ଅମଳ କ୍ଷମ ଧାନ ବିହନକୁ ବହୁଳ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ଚାଷୀଙ୍କ ସୁବିଧା ପାଇଁ ଲେମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବେସରକାରୀ କିଛି ଦୋକାନ ଗୁଡିକରେ ମଧ୍ୟ ସରକାରୀ ଧାନ ବିହନ ବିକ୍ରି କରାଯାଉଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe