ଆସୁଛି ପ୍ରାକ୍‌ ମୌସୁମୀ ବର୍ଷା: ସରୁଛି ଟୋକନର ଅବଧି, ଉଠୁନି ମଣ୍ଡିରୁ ଧାନ

ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଦାବିପତ୍ର

ଆସୁଛି ପ୍ରାକ୍‌ ମୌସୁମୀ ବର୍ଷା: ସରୁଛି ଟୋକନର ଅବଧି, ଉଠୁନି ମଣ୍ଡିରୁ ଧାନ

ବିଜେପୁର: ଖରିଫ ଭଳି ପୁଣି ଭୟଙ୍କର ହେଲାଣି ଚାଷୀମାନଙ୍କ ରବିଧାନ ବିକ୍ରି ସ୍ଥିତି। ପ୍ରଶାସନ ତ୍ବରିତ ପଦକ୍ଷେପ ନ ନେଲେ ରବି ଧାନ ବିକ୍ରି ପରିସ୍ଥିତି ଭୟଙ୍କର ହେବ ବୋଲି ଚାଷୀମାନେ ଆଶଙ୍କା କଲେଣି। ବିଫଳ ସରକାରୀ ବ୍ୟବସ୍ଥା ପାଇଁ ଚାଷୀଙ୍କ ସ୍ଥିତି ସଂଗୀନ ହେଲାଣି। ବିଜେପୁର ବ୍ଲକ୍‌ ମଣ୍ତିମାନଙ୍କରେ ଧାନ ଉଠି ପାରୁ ନଥିବାର ଅଭିଯୋଗ ହେଉଥିବା ବେଳେ ଅର୍ଡା ମଣ୍ତିରେ ସମବେତ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଧାନ ବୋଝେଇ ଟ୍ରାକ୍ଟରକୁ ମଣ୍ତି ପରିସରରେ ଦିନ ଦିନ ପର୍ଯ୍ୟନ୍ତ ଛିଡ଼ା କରାଇ ରଖୁଛନ୍ତି। ମାତ୍ର ସେମାନଙ୍କ ଧାନ ଉଠୁନାହିଁ ବୋଲି ଅଭିଯୋଗ କରୁଛନ୍ତି। ଏପଟେ ଟୋକନ ଅବଧିର ପରିସମାପ୍ତି ନେଇ ଚାଷୀ ବିଚଳିତ ହେଉଥିବା ବେଳେ ପ୍ରଶାସନର ଚିନ୍ତା ନାହିଁ। ଅନ୍ୟପକ୍ଷରେ କାଳବୈଶାଖୀ ଓ ପ୍ରାକ୍‌ ମୈାସୁମୀ ବର୍ଷାର ଆଗମନ ଚାଷୀଙ୍କ ଆଖିରୁ ଏବେ ନିଦ ହଜିଯାଇଛି। ବ୍ଲକ୍‌ର ପ୍ରାୟ ସମସ୍ତ ମଣ୍ତିରେ ଏଭଳି ସ୍ଥିତି ରହିଥିବା ବେଳେ ଅର୍ଡା ମଣ୍ତିରେ ଚାଷୀମାନେ ଏକତ୍ରିତ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ। ଧାନ ଉଠିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ଯତିନ୍ଦ୍ର ମହାପାତ୍ର, ସନ୍ତୋଷ ସାହୁ, ପାନିତୋଷ ସାହା, ଯୁଧିଷ୍ଠିର ସାହୁ, ଯୋଗେନ୍ଦ୍ର ସାହୁ, କାମଫାଲ ବାଗ, ଧିରେନ୍ଦ୍ର ଗଡ଼ତିଆଙ୍କ ସମେତ ବହୁ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ସ୍ଥାନୀୟ କର୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ଲାଉମୁଣ୍ତା ସମବାୟ ସମିତି ଅନ୍ତର୍ଗତ ଅର୍ଡା ମଣ୍ତିରେ ୨୨୦ ଚାଷୀଙ୍କ ୧୧୬୧୩ କ୍ବିଣ୍ଟାଲ ଧାନ ସଂଗୃହୀତ ହୋଇଥିବା ବେଳେ ୮୫ ଚାଷୀଙ୍କ ୪୦୮୭ କ୍ବିଣ୍ଟାଲ ଧାନ ଉଠିଛି। ସେହିପରି ଉକ୍ତ ଅର୍ଡା ମଣ୍ତିରେ ବଡ଼ବାଉଁସେନ ସମବାୟ ସମିତିର ୯୯ ଚାଷୀଙ୍କ ୪୭୧୭ କ୍ବିଣ୍ଟାଲ ଧାନ ସଂଗୃହୀତ ହୋଇଥିବା ବେଳେ ୮୧ ଚାଷୀଙ୍କ ୩୬୮୨ କ୍ବିଣ୍ଟାଲ ଧାନ ଉଠି ପାରିଛି। ଅନୁରୂପ ଭାବରେ ଏମ୍.ଶ୍ରୀଗିଡ଼ା ସମବାୟ ସମିତିର କେଉଁଟିପାଲି ମଣ୍ତିରେ ୨୪୦ ଚାଷୀଙ୍କ ୩୨୨୮୭ କ୍ବିଣ୍ଟାଲ ଧାନ ପଡିଥିବା ବେଳେ ତନ୍ମଧ୍ୟରୁ ୧୩୫ ଚାଷୀଙ୍କ ୧୭୧୪୮ କ୍ବିଣ୍ଟାଲ ଧାନ ବିକ୍ରି ହୋଇସାରିଛି। ତେଣୁ ମଣ୍ତିଗୁଡ଼ିକରେ ହାରାହାରି ଭାବରେ ଅଧାରୁ ଅଧିକ ଧାନ ପଡ଼ିରହିଛି। ଚାଷୀମାନେ ଖରିଫ ଚାଷ ପାଇଁ ଅଣ୍ଟାଭିଡ଼ିବାର ସମୟ ଉପନୀତ ହୋଇଥିବା ବେଳେ ରବି ଧାନ ବିକ୍ରି ଚିନ୍ତା ସେମାନଙ୍କ ମନରୁ ହଟିନାହିଁ। କେତେକ ଚାଷୀ ବିଲରେ ଧାନ ଅମଳ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେମାନେ ନିଜ ଟୋକନ ଅବଧିକୁ ନେଇ ଅଧିକ ଚିନ୍ତାଶୀଳ ଅବସ୍ଥାରେ ରହିଛନ୍ତି। କେତେକ ଗ୍ରାମରେ କୋଭିଡ୍‌ ସ୍ଥିତି ବୃଦ୍ଧି ପାଉଥିବା ବେଳେ ଶ୍ରମିକ ସମସ୍ୟା ଧାନ ଅମଳ ପାଇଁ ବାଧକ ହେଉଥିବାର ମଧ୍ୟ ଆଲୋଚନା ହେଉଛି। ତେଣୁ ଚାଷୀଙ୍କ ଧାନ ବିକ୍ରି ଦିଗରେ ପ୍ରଶାସନ ଗମ୍ଭୀରତାର ସହିତ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe