ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

Advertisment
ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

କଟକ: ପ୍ରି ଆକ୍ଟିଭେଟ ସିମ୍‌ ଜବତ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ୫  ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତମାନେ ହେଉଛନ୍ତି ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶ। କ୍ରାଇମ୍‌ବ୍ରାଞ୍ଚ୍‌ ସେମାନଙ୍କୁ ରଖି ଅଧିକ ପଚରାଉଚରା କରିବ। ସୂଚନା ରହିଛି ଯେ ସାଇପ୍ରକାଶ ହେଉଛନ୍ତି ଜଣେ ବିଏସ୍‌ଏନ୍‌ଏଲ୍‌ ଡିଲର୍‌ ଓ ଅବିନାଶ ତାଙ୍କର ଜଣେ କର୍ମଚାରୀ। ଅନ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ହେଉଛନ୍ତି ଏହି ବାୟର ସେଲର ଗ୍ରୁପର ମୁଖ୍ୟ ବା ମାଷ୍ଟର୍‌ମାଇଣ୍ଡ୍‌।

କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାକୁ ଖୋଳତାଡ଼ କରି ସବୁ ଜିଲ୍ଲାର ଏସ୍‌ପିଙ୍କୁ ସମସ୍ତ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ର ଡିଲର ପଏଣ୍ଟ୍‌ ଓ ସିମ୍‌ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଛି। ଭୋଡଫୋନର ଭୁବନେଶ୍ୱରସ୍ଥିତ ମୁଖ୍ୟ କମର୍ସିଆଲ୍ ମ୍ୟାନେଜର, ବିଏସ୍‌ଏନ୍‌ଏଲ୍‌ର ଢେଙ୍କାନାଳର ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳର ଏରିଆ ମ୍ୟାନେଜରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ନୋଟିସ୍‌ ଜାରି କରିଛି। ପ୍ରି ଆକ୍ଟିଭେଟ ସିମ୍‌ ବିକ୍ରି ରୋକିବା ପାଇଁ ଯେଉଁ ଏସ୍‌ଓପି ଅଛି ତାହା କଡ଼ାକଡ଼ି ପାଳନ ହେଉଛି କି ନାହିଁ, ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆ ଯାଉଛି,ଏସବୁ ସମ୍ବନ୍ଧରେ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ।

ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କ ନାଁରେ ଫେକ ସିମ୍‌ ବାହାର କରି ଲୋକସଭା ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ ଏହି ଠକମାନେ। ତଦନ୍ତ ବେଳେ ଜଣାପଡିଲା ଯେ ସେହି ସିମ୍‌ ଓଡ଼ିଶାର ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିଲା। ସେହି ମାମଲାର ତଦନ୍ତ କରି ଏହି ଫେକ ସିମ୍‌ ରାକେଟ ବିଷୟରେ କ୍ରାଇମ୍‌ବ୍ରାଞ୍ଚ୍‌କୁ ତଥ୍ୟ ମିଳିଛି।

ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକଙ୍କର ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପେଟିଏମ ଆକାଉଣ୍ଟ ଠାବ ହୋଇଛି। ସେଥିମଧ୍ୟରୁ ଦୁଇଟି ପେଟିଏମର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଏହି ଜାଲିଆତି ୧୮-୪-୨୦୨୦ରୁ ହୋଇଛି ବୋଲି ସୂଚନା ରହିଛି। ଦୁଇଟି ପେଟିଏମ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର ଟ୍ରାନ୍‌ଜାକ୍ସନ ତଥ୍ୟ ମିଳିଥିବା ବେଳେ ଅନ୍ୟ ଆକାଉଣ୍ଟ ଗୁଡିକୁ ନେଇ ତଦନ୍ତ ଜାରିରହିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe