ଆରମ୍ଭ ହେଲା ପ୍ରିକସନ୍ ଡୋଜ୍ ଟିକାକରଣ: ପ୍ରଥମ ଦିନରେ ଟିକା ନେଲେ ୯୩ହଜାରରୁ ଅଧିକ

ୟୁନିଟ୍‌-୯ ୟୁପିଏଚ୍‌ସିରେ ଉପଲବ୍ଧ ହେଉଛି କୋଭିସିଲ୍‌ଡ

ଆରମ୍ଭ ହେଲା ପ୍ରିକସନ୍ ଡୋଜ୍ ଟିକାକରଣ: ପ୍ରଥମ ଦିନରେ ଟିକା ନେଲେ ୯୩ହଜାରରୁ ଅଧିକ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ପ୍ରିକସନ୍ ଡୋଜ୍ ଟିକାକରଣ ହୋଇଛି। ପ୍ରଥମ ଦିନରେ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୯୩,୯୨୮ ଜଣ ଟିକା ନେଇଛନ୍ତି। ଏହାସହ ଘରୋଇ ଡାକ୍ତରଖାନାରେ ୧୫୯୩ ଜଣ ପ୍ରିକସନ୍ ଡୋଜ୍ ନେଇଥିବା ସୂଚନା ମିଳିଛି। ତେବେ ପ୍ରଥମଦିନରେ ରାଜଧାନୀର ଅନେକ ଟିକାକରଣ କେନ୍ଦ୍ରରେ ପ୍ରିକସନ୍ ଡୋଜ୍‌କୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଟିକାକରଣ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଟିକା ଉପଲବ୍ଧ ‌ନ ଥିବାରୁ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂର୍ବରୁ କେବଳ ଘରୋଇ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ଦିଆଯାଉଥିବାରୁ ‌କରୋନା ସଂକ୍ରମଣ ବଢ଼ିଥିଲେ ହେଁ ଲୋକଙ୍କ ଭିତରେ ସେତେଟା ଆଗ୍ରହ ନ ଥିଲା। କେନ୍ଦ୍ର ସରକାର ୧୮ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ପ୍ରଦାନ ପାଇଁ ଘୋଷଣା କରିବା ପରେ ଆଜିଠାରୁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟରେ ଆଜି ୨୨୧୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧,୩୪,୨୨୧ଜଣଙ୍କୁ ଟିକା ଦିଆଯାଇଛି। ପୂର୍ବଭଳି ୧୨-୧୪, ୧୫-୧୭ବର୍ଷ, ୧୮-୫୯ବର୍ଷର ବ୍ୟକ୍ତିଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ଅପରପକ୍ଷରେ ରାଜଧାନୀରେ କେବଳ କୋଭାକ୍ସିନ୍ ଟିକାକରଣ ହେଉଥିବାରୁ ଅଧିକାଂଶ ଟିକାକରଣ କେନ୍ଦ୍ରରେ କୋଭାକ୍ସିନ୍ ଦିଆଯାଉଛି। ତେବେ ରାଜଧାନୀର ୟୁନିଟ୍‌-୯ ୟୁପିଏଚ୍‌ସିରେ କେବଳ କୋଭିସିଲ୍‌ଡ ଟିକା ଉପଲବ୍ଧ ହେଉଛି। ତେଣୁ ଅନ୍ୟ ଜିଲ୍ଲାରେ କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତିମାନେ ୟୁନିଟ୍‌-୯ ୟୁପିଏଚ୍‌ସିରେ ପ୍ରିକସନ୍ ଡୋଜ୍ ବାବଦରେ କୋଭିସିଲ୍‌ଡ ନେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। କମିସନରଙ୍କ ବିଳମ୍ବରେ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆଜିଠାରୁ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ୟୁନିଟ୍‌-୪ ସିଏଚ୍‌ସିରେ ସକାଳ ୯ଟାରେ ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ହୋଇଥିଲା। ଲୋକମାନେ ସାଢ଼େ ୮ଟାରୁ ଏଥିପାଇଁ ଲାଇନ୍‌ରେ ରହିଥିଲେ। ହେଲେ ବିଏମ୍‌ସି କମିସନ ବିଜୟ ଅମୃତ କୁଲାଙ୍ଗେଙ୍କୁ ଠିକ୍ ସମୟରେ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅନେକ ନିରାଶ ହୋଇ ଫେରି ଯାଇଥିଲେ। ପରବର୍ତୀ ସମୟରେ କମିସନର ପହଞ୍ଚିବା ପରେ ଟିକାକରଣ ଉଦ୍‌ଘାଟନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe