ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଭବିଷ୍ୟବାଣୀ: ୨୦୬୦ରେ ଭାରତ ହେବ ଏକ ନମ୍ବର ମହାଶକ୍ତି

ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଭବିଷ୍ୟବାଣୀ: ୨୦୬୦ରେ ଭାରତ ହେବ ଏକ ନମ୍ବର ମହାଶକ୍ତି

ଡ. ମାଇକେଲ ଦେବବ୍ରତ ପାତ୍ର

ଭୁବନେଶ୍ବର : ଭାରତୀୟ ଅର୍ଥନୀତି ଆଗାମୀ ଦିନରେ ଆହୁରି ବଡ଼ ଓ ଶକ୍ତିଶାଳୀ ହେବ। ଏହା ବିଶ୍ବର କିଛି ପ୍ରମୁଖ ଅର୍ଥନୀତିକୁ ଅତିକ୍ରମ କରି ଆଗକୁ ବଢ଼ିବ। ୨୦୪୮ରେ ଭାରତ ଆମେରିକାକୁ ଟପିବ ଓ ୨୦୬୦ ସୁଦ୍ଧା ସବୁ ଦେଶକୁ ଅତିକ୍ରମ କରି ସର୍ବବୃହତ ମହାଶକ୍ତି ଭାବେ ଉଭା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡ. ମାଇକେଲ ଦେବବ୍ରତ ପାତ୍ର ଏଭଳି ଭବିଷ୍ୟବାଣୀ କରିଛନ୍ତି।

୨୦୪୮ରେ ଆମେରିକାକୁ ଟପିବ
୨୦୨୭ରେ ହେବ ୫ ଟ୍ରିଲିଅନ ଡଲାର ଅର୍ଥନୀତି
ଟଙ୍କା ହେବ ବିଶ୍ବର ଦ୍ବିତୀୟ ଦୃଢ଼ ମୁଦ୍ରା

ଭାରତର ୭୫ତମ ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଯଦି ଆସନ୍ତା ଦଶନ୍ଧିରେ ଭାରତ ୧୧%ର ଅଭିବୃଦ୍ଧି ହାସଲ କରିବ, ତେବେ ଆମେରିକାକୁ ଟପିବା ଲକ୍ଷ୍ୟ ୨୦୩୧ରେ ହାସଲ ହୋଇଯିବ। କିନ୍ତୁ ଯଦି ତାହା ସମ୍ଭବ ନହେବ ଓ ଅର୍ଥନୀତି ୪-୫% ଭଳି ମନ୍ଥର ହାରରେ ଆଗକୁ ବଢ଼ିବ ତେବେ ୨୦୪୦-୫୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଶ୍ରୀ ପାତ୍ର କହିଛନ୍ତି ଯେ ବ୍ରିଟିସ ଅର୍ଥନୀତିଜ୍ଞ ଅଙ୍ଗୁସ ମାଡିସନଙ୍କ ଅନୁସାରେ ୧-୧୦୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଶ୍ବ ଅର୍ଥନୀତିରେ ଭାରତର ଭାଗ ସର୍ବାଧିକ ଥିଲା। ପରବର୍ତ୍ତୀ ୬୦୦ ବର୍ଷ ପର୍ଯ୍ୟନ୍ତ ଭାରତ ଦ୍ବିତୀୟ ସ୍ଥାନକୁ ଖସି ଆସିଥିଲା। ୧୭୦୦ ଖ୍ରୀଷ୍ଟାବ୍ଦ‌ରେ ପୁଣି ଏହା ହଜିଲା ଗୌରବ ଫେରିପାଇଥିଲା ଓ ସେହି ସମୟରେ ବିଶ୍ବ ଅର୍ଥନୀତିକୁ ଭାରତର ଅବଦାନ ୨୪.୪% ଥିଲା ବୋଲି ସେ କହିଛନ୍ତି।

‌ସେ କହିଛନ୍ତି ଯେ କ୍ରୟ ଶକ୍ତି ସମାନତା ଅନୁସାରେ ବର୍ତ୍ତମାନ ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି। ବିଶ୍ବ ଅର୍ଥନୀତି ପ୍ରତି ଭାରତର ଯୋଗଦାନ ୭% ରହିଛି। ୨୦୨୭ ସୁଦ୍ଧା ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ସେ କହିଛନ୍ତି। ସେହିଭଳି ଦେଶର ବିକାଶ ସହିତ କୟ ଶକ୍ତି ସମାନତା (ପିପିପି) ଆଧାରରେ ମୁଦ୍ରାର ବିନିମୟ ମୂଲ୍ୟରେ ମଧ୍ୟ ଉନ୍ନତି ଘଟିବ ଓ ଉତ୍ପାଦକତା ବଢ଼ିବ। ଇଣ୍ଡୋନେସିଆର ରୁପିୟା ପରେ ଭାରତୀୟ ଟଙ୍କା ବିଶ୍ବର ଦ୍ବିତୀୟ ଦୃଢ଼ ମୁଦ୍ରା ଭାବେ ଉଭା ହେବ। ଭାରତୀୟ ଅର୍ଥନୀତି ପ୍ରତି ଚାରି ଆହ୍ବାନ ହେଉଛି, କରୋନା ଜନିତ ଜୀବନ ଜୀବିକା ହାନି, ଭିତ୍ତିଭୂମି ଅଭାବ, ଉନ୍ନତ ମାନର ଶ୍ରମ ଶକ୍ତି ଓ ସବୁଜ ଏବଂ ସ୍ବଚ୍ଛ ଭାରତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe