ଓଡ଼ିଶାର ସବୁ ରେଳଷ୍ଟେସନରେ ଲାଗିବ ପୂର୍ବନିର୍ମିତ ଶୌଚାଳୟ

Advertisment

ପୂର୍ବତଟ ରେଳ, ଏମ୍‌ସିଲ୍‌ ଓ ରାଇଟ୍‌ସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ପୂର୍ବତଟ ରେଳ, ଏମ୍‌ସିଲ୍‌ ଓ ରାଇଟ୍‌ସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଓଡ଼ିଶାର ସବୁ ରେଳଷ୍ଟେସନରେ ଲାଗିବ ପୂର୍ବନିର୍ମିତ ଶୌଚାଳୟ

Odisha 360

ଭୁବନେଶ୍ବର : ଓଡ଼ିଶାର ସମସ୍ତ ୨୩୨ଟି ରେଳ ଷ୍ଟେସନରେ ପୂର୍ବନିର୍ମିତ ଶୌଚାଳୟ ଲାଗିବ। ଏଥିପାଇଁ ଖର୍ଚ ହେବ ୫୮.୦୭ କୋଟି ଟଙ୍କା। ବର୍ଷକ ଭିତରେ ଏହି ଧରଣର ଶୌଚାଳୟ ଲଗାଯିବା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମଗ୍ର ପୂର୍ବ ଭାରତରେ ଏଭଳି ପ୍ରକଳ୍ପ ପ୍ରଥମ। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ରେଳ ଷ୍ଟେସନରେ ସ୍ୱଚ୍ଛ ଭାରତ ମିସନ୍‌ କାର୍ଯ୍ୟକାରୀ ହୋଇପାରିବ।

ଆଜି ଏ ‌େନଇ ପୂର୍ବତଟ ରେଳପଥ ସହିତ ରାଇଟ୍ସ ଓ ମହାନଦୀ କୋଲ୍‌ଫିଲ୍‌ଡ୍ସ(ଏମସିଏଲ୍‌) ମଧ୍ୟରେ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ ପୂର୍ବନିର୍ମିତ ବା ପ୍ରି-ଫାବ୍ରିକେଟେଡ୍‌ ଟଏଲେଟ୍‌ ‌ସଂଗ୍ରହ କରି ଯୋଗାଇଦେବ ରାଇଟ୍‌ସ ବା ରେଲ୍‌ ଇଣ୍ଡିଆ ଟେକ୍‌ନିକାଲ୍‌ ଆଣ୍ଡ ଇକୋନୋମିକ୍ସ ସର୍ଭିସ ନାମକ ଏକ ଗୁରୁଗାଓଁର ପରିବହନ ଭିତ୍ତିଭୂମି ସଂପର୍କିତ ପରାମର୍ଶଦାତା ସଂସ୍ଥା। ଏ ସମସ୍ତ ଶୌଚାଳୟ ପାଇଁ ଏମ୍‌ସିଏଲ୍‌ ପ୍ରାୟ ୫୮.୦୭ କୋଟିର ଖର୍ଚ ବହନ କରିବ। ଏହି ଶୌଚାଳୟଗୁଡ଼ିକ ସ୍ଥାପନ ପରେ ରେଳବାଇ ଏହାକୁ ନିଜ ଅଧୀନକୁ ଆଣି ଏହାର ରକ୍ଷଣାବେକ୍ଷଣ ଯଥା: ସଫାଇ କାର୍ଯ୍ୟ, ‌ଜଳ ଯୋଗାଣ, ବିଦ୍ୟୁତ୍‌ ବନ୍ଦୋବସ୍ତ ଦାୟିତ୍ବ ତୁଲାଇବ।

ପ୍ରସ୍ତାବିତ ୨୩୨ଟି ଶୌଚାଳୟ ମଧ୍ୟରୁ ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାର ୧୭୨ଟି ଷ୍ଟେସନ, ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ୫୫ଟି ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅଧୀନରେ ୫ଟି ରେଳପଥ ଅନ୍ତର୍ଭୁକ୍ତ। ପ୍ରତିଟି ଶୌଚାଳୟ ବ୍ଲକ୍‌ରେ ୭ଟି ଶୌଚାଳୟ ରହିବ। ସେଥିମଧ୍ୟରୁ ପୁରୁଷଙ୍କ ପାଇଁ ୩ଟି ଶୌଚାଳୟ ସହିତ ୪ଟି ପରିଶ୍ରାଗାର, ମହିଳାଙ୍କ ପାଇଁ ୩ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଉଦ୍ଦିଷ୍ଟ। ଏହା ସହିତ ଓଭରହେଡ୍‌ ପାଣିଟାଙ୍କି, ୱାସ୍‌ ବେସିନ ଏବଂ ବୈଦ୍ୟୁତିକ ସରଞ୍ଜାମ ଉପଲବ୍ଧ ହେବ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନାପ୍‌କିନ୍‌ ଭେଣ୍ଡିଙ୍ଗ ମେସିନ ଓ ଇନ୍‌ସିନେରେଟର ଏବଂ ପୁରୁଷଙ୍କ ଶୌଚାଳୟରେ କଣ୍ଡମ ଭେଣ୍ଡିଙ୍ଗ ମେସିନ ରହିବ। ଏ ସମସ୍ତ ଶୌଚାଳୟ ରେଳ ଷ୍ଟେସନ ବାହାରେ ସ୍ଥାପନ କରାଯିବ। ଫଳରେ ରେଳ ଯାତ୍ରୀ, ସାଧାରଣ ଜନତା, ହକର, ଭେଣ୍ଡର, ଅଟୋ ରିକ୍ସା ଚାଳକ, କୁଲି, ରେଳବାଇ କର୍ମଚାରୀ ଏବଂ ଦିବ୍ୟାଙ୍ଗ ଲୋକେ ଉପକୃତ ହେବେ। ଆଜି ଭୁବନେଶ୍ୱରର ଏମ୍‌ସିଏଲ୍‌ କାର୍ଯ୍ୟାଳୟରେ ଆୟୋଜିତ ତ୍ରିପାକ୍ଷିକ ଚୁକ୍ତିନାମା ବୈଠକରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ ଏନ. ଏସ. ଉଇକେଙ୍କ ଉପସ୍ଥିତିରେ ଏମସିଏଲ୍‌ ମହାପ୍ରବନ୍ଧକ(ସି.ଏସ.ଆର) ବି. ସାଇରାମ; ରାଇଟ୍ସ ମହାପ୍ରବନ୍ଧକ ପ୍ରେମରଞ୍ଜନ କୁମାର ଓ ପୂର୍ବତଟ ରେଳପଥ ମୁଖ୍ୟ ଯନ୍ତ୍ରୀ (ଯୋଜନା) ବ୍ରଜେଶ ମିଶ୍ର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଥିଲେ। ଉଲ୍ଲେଖଯୋଗ୍ୟ, ନିକଟରେ ଉଭୟ ରେଳବାଇ ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe