ରାଜସ୍ବ ମନ୍ତ୍ରୀଙ୍କ ବ୍ଲକ୍‌ରେ ଅଭାବନୀୟ ଚିତ୍ର: ଖଟିଆରେ ନଦୀ ପାର୍‌ ହେଲେ ଗର୍ଭବତୀ

Advertisment

ରାସ୍ତା ନାହିଁ, ଯାତାୟାତରେ ବାଧକ ବୁଢ଼ାବଳଙ୍ଗ

ରାସ୍ତା ନାହିଁ, ଯାତାୟାତରେ ବାଧକ ବୁଢ଼ାବଳଙ୍ଗ

ରାଜସ୍ବ ମନ୍ତ୍ରୀଙ୍କ ବ୍ଲକ୍‌ରେ ଅଭାବନୀୟ ଚିତ୍ର: ଖଟିଆରେ ନଦୀ ପାର୍‌ ହେଲେ ଗର୍ଭବତୀ

କଳାବାଡ଼ିଆ: ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିଜ ବ୍ଲକ୍‌ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଖଟିଆରେ ବୁହା ହେଉଛନ୍ତି ପ୍ରସୂତି। ଦିନେ ଅଧେ ନୁହେଁ, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ନିୟମିତ ଭାବେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍‌ନାକୁ ଆସୁଛି। କେଉଁଠି ନଦୀ ଉପରେ ପୋଲ ନାହିଁ ତ’ ଆଉ କେଉଁଠି ଗାଁ’କୁ ରାସ୍ତା ନଥିବାରୁ ରୋଗୀଙ୍କୁ ଆମ୍ବୁଲାନ୍‌ସ ବଦଳରେ ଖଟିଆ ଉପରେ ନିର୍ଭର କରିବାକୁ ପଡ଼ୁଛି।

ବାଙ୍ଗିରିପୋଷି ବ୍ଲକ୍‌ ଚାକିଡ଼ି ପଞ୍ଚାୟତ ଜାମତାଳିଆ ଗ୍ରାମର ଗଙ୍ଗାଧର ହାଁସଦାଙ୍କ ପତ୍ନୀ ଫୁଲମଣିଙ୍କର ଗତ ଶନିବାର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ଦିନତମାମ ଆମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ ବି ନେଟ୍‌ୱାର୍କ ସମସ୍ୟା ପାଇଁ ଫୋନ୍‌ ଲାଗିନଥିଲା। ରବିବାର କୌଣସିପ୍ରକାର କଲ୍‌ ଲାଗିବା ପରେ ଆସିଥିଲା ୧୦୨ ଆମ୍ବୁଲାନ୍‌ସ। ହେଲେ ନଦୀ ଉପରେ ପୋଲ ନଥିବାରୁ ଗାଁ’ଠାରୁ ୧ କିମି ଦୂରରେ ଅଟକି ଯାଇଥିଲା। ଶେଷରେ ଗାଁ ଲୋକେ ଫୁଲମଣିଙ୍କୁ ଖଟିଆରେ ବୋହି ନଦୀ ପାର୍‌ କରାଇବା ପରେ ଆମ୍ବୁଲାନ୍‌ସ ଯୋଗେ ତାଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ବହୁ ବିଳମ୍ବ ହୋଇ ଯାଇଥିବାରୁ ଫୁଲମଣିଙ୍କୁ ସଙ୍କଟାପନ୍ନ ଅବସ୍ଥା‌ରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

publive-image

ଫୁଲମଣିଙ୍କ ଭଳି ଘଟଣା ଏହି ପଞ୍ଚାୟତବାସୀଙ୍କ ପାଇଁ ପ୍ରଥମ ନୁହେଁ। ବ୍ଲକ୍ ମୁଖ୍ୟାଳୟରୁ ୩୦ କିମି ଦୂର ଏହି ପଞ୍ଚାୟତର ଜାମତଳିଆ, କୁସୁମତୋଟା, ଖଡିଘାଟି ଗ୍ରାମକୁ ଯିବା ପାଇଁ ହେଲେ ବୁଢ଼ାବଳଙ୍ଗ ନଦୀ ପାର୍‌ ହେବାକୁ ପଡ଼ିଥାଏ। ନଦୀ ଉପରେ ପୋଲ ନଥିବାରୁ ବର୍ଷତମାମ ଲୋକେ ହଇରାଣ ହେଉଛନ୍ତି। ପାଣି କମିଲେ ନଦୀରେ ପଶି କିମ୍ବା ଅସ୍ଥାୟୀ ବାଉଁଶ ପୋଲ ତିଆରି କରି ନଦୀ ପାର୍‌ ହେଉଛନ୍ତି। ଅନ୍ୟ ଦିନରେ ଭେଳା ସାହାଯ୍ୟରେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେବାକୁ ପଡ଼େ। ନଈ ଫୁଲିଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନେ ଅଘୋଷିତ ଛୁଟି ମନାନ୍ତି। ଅଧିକାଂଶ ସମୟରେ ଗର୍ଭବତୀ ମହିଳା ଠିକଣା ସମୟରେ  ଡାକ୍ତରଖାନାରେ ପହଞ୍ଚି ପାରନ୍ତିନି। ଖାସ୍‌ ଏହି ସମସ୍ୟା ପାଇଁ ଗର୍ଭ ଯନ୍ତ୍ରଣାର ଯଥେଷ୍ଟ ପୂର୍ବରୁ ମହିଳାମାନଙ୍କୁ ଡାକ୍ତରଖାନା ଆଣିବା ପାଇଁ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଅଛି ବୋଲି କହିଛନ୍ତି ଡାକ୍ତର ଲକ୍ଷ୍ମୀପ୍ରିୟା ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe