ନଦୀ ଆର ପାଖରେ ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତି

Advertisment
ନଦୀ ଆର ପାଖରେ ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତି

କାମାକ୍ଷାନଗର : ଏପେଟେ ମହିଳାଙ୍କ ପ୍ରସବବେଦନା। ସେପଟେ ଆମ୍ବୁଲାନ୍ସ। ମଝିରେ ଉଛୁଳା ନଈ। ଗାଁ ଲୋକେ ଏକ ଖଟିଆରେ ଯନ୍ତ୍ରଣାଜର୍ଜରିତ ପ୍ରସୂତିଜଣଙ୍କୁ ୩ କିଲୋମିଟର ରାସ୍ତା ବୋହି ନଦୀକୂଳକୁ ଆଣିବା ପରେ ଫୁଲିଲା ନଦୀ ପାର କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଶୁଭିଥିଲା କୁଆଁରାବ। ସେଠା‌ରେ ପ୍ରସୂତିଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ନବଜାତ ଶିଶୁକୁ ପୁଣି ଖଟିଆରେ ବୋହି ନଦୀ ପାର କରାଇଥିଲେ ଗାଁ ଲୋକେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୂର କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳି ଗାଁ କଳାମାଟି ସାହିରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ।

ରବିବାର ସକାଳ ପ୍ରାୟ ୯ଟା ବେଳେ କଳାମାଟି ସାହିର ଓକିଲ ହେମ୍ରମ୍‌ଙ୍କ ପତ୍ନୀ ଡୁମୁନି ହେମ୍ରମ୍‌ (୧୯)ଙ୍କର ଗର୍ଭବେଦନା ହୋଇଥିଲା। ଏହା କ୍ରମଶଃ ଅସହ୍ୟ ହେବାରୁ ପରିବାର ଲୋକଙ୍କ ସହ ସେଠାରେ ଉପସ୍ଥିତ ଆଶା କର୍ମୀ ବିନୋଦିନୀ ସାହୁ ଓ ଅଙ୍ଗନବାଡ଼ି କର୍ମୀ ଡୁମୁନିଙ୍କୁ କାମାକ୍ଷାନଗର ଡାକ୍ତରଖାନା ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। କାମାକ୍ଷାନଗର ଠାରୁ ରାମିଆଳ ନଦୀକୂଳ ପର୍ଯ୍ୟନ୍ତ ୭ କି.ମି ଭଲ ରାସ୍ତା ଥିବା ବେଳେ ସେଠାରୁ ଆଉ କଳାମାଟି ସାହିକୁ ରାସ୍ତା ନାହିଁ। ବେକେ ଉଚ୍ଚର ପାଣିରେ ନଦୀ ପାରି ହେବା ପରେ ଲୋକଙ୍କୁ ଚାଲି ଚାଲି ଆବଡ଼ାଖାବଡ଼ା ରାସ୍ତାରେ ଯିବାକୁ ପଡ଼ିଥାଏ ଏହି ଗାଁକୁ। ଫଳରେ ଗ୍ରାମବାସୀ ଏକ ଖଟିଆରେ ଡୁମୁନିଙ୍କୁ ଗାଁରୁ ପ୍ରାୟ ୩ କିମି ଆବଡ଼ା ଖାବଡ଼ା ରାସ୍ତାରେ ରାମିଆଳ ନଦୀ କୂଳକୁ ନେଇ ଆସିଥିଲେ। ନଦୀରେ ଅଣ୍ଟାଏ ଉଚ୍ଚର ପାଣିର ସୁଅ ଛୁଟିଥିଲା। ତଥାପି ତାରି ଭିତରେ ଡୁମୁନିଙ୍କୁ ନଦୀ ପାରି କରିବା ଲାଗି ବାହାରିବା ବେଳକୁ ତାଙ୍କର ପ୍ରସବ ବେଦନା ବଢିଯାଇଥିଲା। ଫଳରେ ଗାଁ ଲୋକେ ଖଟିଆରୁ ତାଙ୍କୁ ତଳେ ଶୁଆଇ ଦେଇ ଚାରିପଟେ ତାଙ୍କ ପିନ୍ଧା ଶାଢିକୁ ଘେରାଇ ଦେଇଥିଲେ। କିଛି ସମୟ ଉତ୍ତାରେ ସେହି ନଦୀ କୂଳରେ ସେ ଛଟପଟ ହୋଇ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଚିକିତ୍ସା ପରେ ଉଭୟ ମା ଓ ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe