ଜୟପାଟଣାରେ ବାସ୍ତବ ‘ଦମନ’ କାହାଣୀ: ପାହାଡ଼ ଉପରେ ପୁଅ ଜନ୍ମ, ହସ୍ପିଟାଲରେ କନ୍ୟା ମୃତ

Advertisment

ଦୁର୍ଗମ ଅଞ୍ଚଳରୁ ଖଟିଆରେ ବୁହାହେଲେ ପ୍ରସୂତି

ଦୁର୍ଗମ ଅଞ୍ଚଳରୁ ଖଟିଆରେ ବୁହାହେଲେ ପ୍ରସୂତି

ଜୟପାଟଣାରେ ବାସ୍ତବ ‘ଦମନ’ କାହାଣୀ: ପାହାଡ଼ ଉପରେ ପୁଅ ଜନ୍ମ, ହସ୍ପିଟାଲରେ କନ୍ୟା ମୃତ

ଜୟପାଟଣା : ଓଡ଼ିଆ ସିନେମା ‘ଦମନ’ ସିନା ଦର୍ଶକୀୟ ଆଦୃତି ଲାଭ କରି ସୁପରହିଟ୍ ହେଲା, କିନ୍ତୁ ଯେଉଁ କାହାଣୀ ଆଧାରରେ ଏହା ସଫଳ ହୋଇଥିଲା, ସେହି ମୌଳିକ ସମସ୍ୟା ଓଡ଼ିଶାର କୋଣ ଅନୁକୋଣରେ ଥିବା ଅଗଣିତ ଗାଁ ଗହଳିରେ ଆଜି ବି ରହିଛି। କଳାହାଣ୍ଡି ଜିଲ୍ଲାରେ ଏପରି ଅନେକ ଗାଁ ରହିଛି, ଯେଉଁଠି ସ୍ବାସ୍ଥ୍ୟସେବା ଆଜି ବି ଅପହଞ୍ଚ । ଜିଲ୍ଲାର ଜୟପାଟଣା ବ୍ଲକର କେତେକ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ନେଇ ଆଜି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ସ୍ବାସ୍ଥ୍ୟସେବା ନୁହେଁ, ସମୁଦ୍ର ପତ୍ତନଠାରୁ ୧୫୦୦ ଫୁଟ ଉପରେ ପାହାଡ଼ ଶିଖରରେ ଅବସ୍ଥାନ କରୁଥିବା ନଳାଚୁଆଁ ଗ୍ରାମବାସୀଙ୍କ ପାଇଁ ଗମନାଗମନ ଆଜି ମଧ୍ୟ ସ୍ବପ୍ନ ହୋଇ ରହିଛି।

ଗତ ଫେବ୍ରୁଆରି ୨୬ ତାରିଖ ରବିବାର ଜଣେ ଗର୍ଭବତୀଙ୍କ ପାଇଁ ଗର୍ଭଯନ୍ତ୍ରଣା ଜୀବନ ମରଣ ସମସ୍ୟା ପାଲଟିଥିଲା। ତେବେ ଦେବଦୂତ ଭଳି ଡାକ୍ତରୀ ଟିମ୍‌ର ଉପସ୍ଥିତି ଯୋଗୁ ପ୍ରସୂତି ଜଣକ ନୂଆ ଜୀବନ ପାଇଥିଲେ। ସୂଚନା ଅନୁସାରେ ଜୟପାଟଣା ବ୍ଲକ୍ ଅନ୍ତର୍ଗତ ଧନସୁଲି ପଞ୍ଚାୟତର ପାହାଡ଼ ଶିଖରରେ ଥିବା ନଳାଚୁଆଁ ଗାଁର ଲଳିତା ଜାନିଙ୍କ ସେଦିନ ସକାଳ ପ୍ରାୟ ୮ଟା ବେଳେ ଗର୍ଭ ବେଦନା ହୋଇଥିଲା। ଘରଲୋକେ କିଛି କରିପାରିବା ଆଗରୁ ସେ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଥିଲେ। ପରେ ପରେ ଲଳିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

publive-image

ଧନସୁଲି ସ୍ବାସ୍ଥ୍ୟକେନ୍ଦ୍ରକୁ ସୂଚନା ମିଳିବା ପରେ ଦାୟିତ୍ବରେ ଥିବା ଡାକ୍ତର ଗୁନିନ୍ଦ୍ର ମହାନ୍ତ, ଷ୍ଟାଫ୍ ନର୍ସ କୁସୁମ କୁମାରୀ, ସୁରକ୍ଷା କର୍ମୀ ଭଗବାନ ରାଉତ ଓ ଆଶାକର୍ମୀ ପାହାଡ଼ ଚଢ଼ି ନଳାଚୁଆଁ ଗ୍ରାମରେ ପହଞ୍ଚିଥିଲେ। ପ୍ରସୂତିଙ୍କ ଅବସ୍ଥା ଗୁରୁତର ଦେଖି ଏକ ଖଟିଆରେ ତାଙ୍କୁ ନେଇ ପାହାଡ଼ ତଳକୁ ଓହ୍ଲାଇଥିଲେ। ସେହିସମୟରେ ପ୍ରସୂତି ଲଳିତା ଜାନିଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ସେ ଅଚେତ୍ ହୋଇ ପଡ଼ିଥିଲେ। ତାଙ୍କୁ ସାଲାଇନ୍ ଦେଇ ପ୍ରାଣରକ୍ଷା କରିଥିଲେ ଉପସ୍ଥିତ ଥିବା ମେଡିକାଲ ଟିମ୍। ପରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସେଠାରେ ଚିକିତ୍ସା କରାଯାଇଥିଲା। କ୍ରମାଗତ ଉଦ୍ୟମ ପରେ ଲଳିତାଙ୍କ ଗର୍ଭରୁ ପୁଣି ଏକ ଶିଶୁକନ୍ୟାକୁ ବାହାର କରାଯାଇଥିଲା। ତେବେ ତାର ମୃତ୍ୟୁ ଘଟିଥିଲା। ପ୍ରାୟ ୬ ଘଣ୍ଟା ପରେ ଲଳିତାଙ୍କୁ ମିଳିଥିଲା ଏକ ନୂଆ ଜୀବନ।

ତେବେ ପ୍ରଥମେ ଏକ ଶିଶୁପୁତ୍ରକୁ ଜନ୍ମଦେବା ପରେ ତାକୁ ମାଆକୋଳରୁ ଅଲଗା କରିବା ଏବଂ ଅନ୍ୟ ଏକ ପ୍ରସବ ପାଇଁ ଅଚେତ ଅବସ୍ଥାରେ ଦୀର୍ଘବାଟ ଖଟିଆରେ ବୋହିନେବା ସମୟରେ ତାଙ୍କ ମନରେ ଯେଉଁ ଭାବ ଜାତ ହେଉଥିଲା, ସେକଥା ଭାଷାରେ ପ୍ରକାଶ କରି ହେବନାହିଁ ବୋଲି କହିଛନ୍ତି ଡାକ୍ତରୀ ଟିମର ନେତୃତ୍ବ ନେଇଥିବା ଡାକ୍ତର ଗୁନିନ୍ଦ୍ର ମହାନ୍ତ। ଏ ଘଟଣାରେ ଡାକ୍ତରୀ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି କୃତଜ୍ଞତାର ସ୍ବର ଉଠୁଥିବା ବେଳେ ସେମାନଙ୍କ ସେବା ମନୋଭାବକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ବର୍ତ୍ତମାନ ପ୍ରସୂତି ଳଲିତା ଜାନି ଏବଂ ନବଜାତ ଶିଶୁପୁତ୍ରର ଅବସ୍ଥା ସ୍ବାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe