ରୁବେଲାକୁ ନେଇ ସତର୍କ ରୁହନ୍ତୁ ଗର୍ଭବତୀ ମହିଳା

ଦେହ ଫଳିଗଲେ ବା ଜ୍ବର ଆସିଲେ ପରୀକ୍ଷା କରିବାକୁ ପରାମର୍ଶ

ରୁବେଲାକୁ ନେଇ ସତର୍କ ରୁହନ୍ତୁ ଗର୍ଭବତୀ ମହିଳା

Medical News Today

ଭୁବନେଶ୍ବର: ନବରଙ୍ଗପୁରର ଦୁଇଟି ବ୍ଲକ୍‌ରେ ରୁବେଲା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ପରୀକ୍ଷା ପାଇଁ ଯାଇଥିବା ୧୮ଟି ନମୁନାରୁ ୨ଟି ପଜିଟିଭ୍ ରହିଛି। ଜଣେ ମହିଳା ମିଳିମିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ରୁବେଲାକୁ ନେଇ ଗର୍ଭବତୀ ମହିଳାମାନେ ସତର୍କ ରହିବାର ଆବଶ୍ୟକତା ରହିଛି। ଦେହରେ ରାସେସ କିମ୍ବା ଜ୍ବର ଆସିଲେ ତୁରନ୍ତ ପରୀକ୍ଷା କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଏବେ କୌଣସି ନୂଆ ମାମଲା ଆସିନାହିଁ। ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡବ୍ଲୁଏଚ୍‌ଓ, ଆଇଡିଏସ୍‌ପି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏପିଡେମିଓଲୋଜି ସର୍ଭେଲାନ୍‌ସ ଜାରି ରହିଛି। ମିଳିମିଳି ଭଳି ରୁବେଲା ସେତେଟା ଗୁରୁତର ନୁହେଁ। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଯଦି କୌଣସି ଗର୍ଭବତୀ ମହିଳା ରୁବେଲାରେ ଆକ୍ରାନ୍ତ ହୋଇଥାନ୍ତି ତାହାଲେ ଗର୍ଭସ୍ତ ଶିଶୁ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସର୍ଭେଲାନ୍‌ସରେ କେବଳ ଗର୍ଭବତୀ ମହିଳା ନୁହନ୍ତି, ବୟସ୍କମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଯଦି ସେମାନଙ୍କଠାରେ ଜ୍ବର କିମ୍ବା ରାସେସ୍ ହେଉଥିଲେ ତାଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଗତକାଲି ଜଣେ ଗର୍ଭବତୀ ମହିଳାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଯେଉଁସବୁ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ତହିଁରୁ ଗୋଟିଏ ନମୁନାକୁ ନେଇ ଦ୍ବନ୍ଦ୍ବ ରହିଛି। ସେଥିପାଇଁ ଚେନ୍ନାଇକୁ ପରୀକ୍ଷା ପାଇଁ ପଠାଯାଇଥିବା ଡା.ମହାପାତ୍ର କହିଛନ୍ତି। ଏବେ ୧-୬-୮ବର୍ଷର ପିଲାଙ୍କଠାରେ ରୁବେଲା ଭୂତାଣୁ ଦେଖିବାକୁ ମିଳୁଛି। ଗର୍ଭବତୀ ହେବାର ପ୍ରଥମ ୩ମାସ ଭିତରେ ମା’ ଯଦି ଏଥିରେ ଆକ୍ରାନ୍ତ ହୁଏ ତାହେଲେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡ଼ିଥାଏ। ଏପରିକି ଜନ୍ମ ସମୟରେ ବାକ୍‌, ଶ୍ରବଣ ଓ ଦୃଷ୍ଟି ଶକ୍ତି ହରାଇବା ଓ ଗର୍ଭପାତର ମଧ୍ୟ ଆଶଙ୍କା ରହିଥାଏ। ଏହି ରୋଗ ଅତି ସାମାନ୍ୟ ଧରଣରୁ ଆରମ୍ଭ ହୋଇଥାଏ। ଅନେକ ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ। ପ୍ରଥମେ ମୁହଁରେ ଆରମ୍ଭ ହୋଇ ‌ସାରା ଦେହକୁ ବ୍ୟାପିଥାଏ। ଲସିକା ଗ୍ରନ୍ଥି ଫୁଲିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe