ଭୁବନେଶ୍ବର: ଗଜପତିର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତଃ ଦାଶ ଜଣେ ନିଷ୍ଠାପର, ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କାର୍ଯ୍ୟରତ ଥିଲେ।
ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରେନ୍ଦ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଗୀତ ଗାଉଥିବା ବେଳେ ଜିଲ୍ଲା ରେଭିନ୍ୟୁ ଏଡିଏମ୍ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ଘଟିଥିଲା। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଖୁସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୀରେନ୍ଦ୍ର ଶ୍ରୀଜଗନ୍ନାଥଙ୍କ ଭକ୍ତି ଗୀତ ଭକତ ବିଦୂର ଶାଗ ଭଜା ଦେଇ ଗାଉଥିଲେ । ହେଲେ ଗୀତ ଗାଉଥିବା ବେଳେ ହଠାତ୍ ସେ ତଳେ ପଡି ଯାଇଥିଲେ।
ତୁରନ୍ତ ତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଯୋଗୀ ଷ୍ଟାଫ୍ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Follow Us