The New Indian Express
ବଲାଙ୍ଗୀର : ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ନବଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ହତ୍ୟାକାଣ୍ଡ ପଛରେ ଗୁଢ଼ ରହସ୍ୟ ରହିଛି। ଏହା ସାଧାରଣ ହତ୍ୟା ନୁହେଁ। ନରସିଂହ ଆଜି ବଲାଙ୍ଗୀରରେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି। ହତ୍ୟାରୁ ପ୍ରମାଣିତ ହେଉଛି ଯେ ଗୁଇନ୍ଦା ବିଭାଗ ମୋଟେ କାମ କରୁନାହିଁ। ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେବାରେ ଚରମ ଅବହେଳା କରାଯାଉଛି। ହତ୍ୟାକାଣ୍ଡ ପରେ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ଏବଂ ଏହି ପଦରେ ରହିବାର ନୈତିକତା ହରାଇଛନ୍ତି।
ମନ୍ତ୍ରିମଣ୍ଡଳରେ ଜଣାଶୁଣା ଗୁଣ୍ଡାମାନଙ୍କୁ ସାମିଲ କରିଛନ୍ତି ରାଜ୍ୟ ସରକାର। ପଇସା ଦେଇ ଗୁଣ୍ଡାମାନଙ୍କୁ କିଣାଯାଇ, ରାଜନୀତିରେ ବ୍ୟବହାର କରାଯାଇଛି। ପୁଲିସ ଯଦି ଅପରାଧୀଙ୍କୁ ସାଲ୍ୟୁଟ ମାରିବ, ତେବେ ଅପରାଧ ନିୟନ୍ତ୍ରଣ କରିବ କିପରି? ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ହତ୍ୟାକାରୀ ମାନସିକ ରୋଗୀ ହୋଇଥିବା କଥା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେ ଜୋର ଦେଇ କହିଛନ୍ତି। ଶ୍ରୀ ମିଶ୍ରଙ୍କ ଯୁକ୍ତି ହେଉଛି, ଯଦି ଗୋପାଳ ମାନସିକ ରୋଗୀ ହୋଇଥାଆନ୍ତି ତେବେ, ସେଥିପାଇଁ ବି ସରକାର ଦାୟୀ। ମାନସିକ ରୋଗୀକୁ କ’ଣ ପାଇଁ ସୁରକ୍ଷା ଦାୟିତ୍ୱ ଦିଆଯାଇ ବନ୍ଧୁକ ଦିଆଗଲା? ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି।
Follow Us