ବିଧାନସଭା ବୈଠକ ପାଇଁ ପ୍ରସ୍ତୁତ ସମ୍ମେଳନ କକ୍ଷ : ସ୍ବତନ୍ତ୍ର ବିଶୋଧକରେ ହଲ୍‌କୁ ଭୂତାଣୁମୁକ୍ତ କରାଗଲା

ହଲ୍‌ ଭିତରେ ଗୋଟିଏ ଧାଡ଼ି ଛଡ଼ାରେ ବସିବେ ସଦସ୍ୟ, ପ୍ରତି ଧାଡ଼ିରେ ୮ରୁ ୯ଜଣ ବିଧାୟକଙ୍କ ପାଇଁ ଆସନ ବ୍ୟବସ୍ଥା

ବିଧାନସଭା ବୈଠକ ପାଇଁ ପ୍ରସ୍ତୁତ ସମ୍ମେଳନ କକ୍ଷ : ସ୍ବତନ୍ତ୍ର ବିଶୋଧକରେ ହଲ୍‌କୁ ଭୂତାଣୁମୁକ୍ତ କରାଗଲା

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭାର ବଜେଟ୍‌ ଅଧିବେଶନର ବଳକା କାର୍ଯ୍ୟଦିବସ ଲୋକସେବା ଭବନର ସମ୍ମେଳନ କକ୍ଷରେ ଅନୁଷ୍ଠିତ ହେବ। ଏଥିପାଇଁ ସଂସଦୀୟ ବ୍ୟାପାର ବିଭାଗ ଓ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କରୋନା ବା କୋଭି଼ଡ-୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ହଲ୍‌କୁ ସୋ଼ଡିୟମ୍‌ ହାଇଡ୍ରୋକ୍ଲୋରାଇଟ୍‌ ଓ ଆଲକହଲ୍‌ ଦ୍ରବଣରେ ବିଶୋଧନ କରାଯାଇଛି। ପ୍ରତିଟି ବସିବା ଆସନ ଓ ତଳ ଚଟାଣରେ ବିଶୋଧକ ସ୍ପ୍ରେ କରାଯାଇଛି। ସଦସ୍ୟମାନଙ୍କର ସାମାଜିକ ଦୂରତା ରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି।

ରବିବାର ବିଧାନସଭା ସଚିବ ଦାଶରଥୀ ଶତପଥୀ, ସଂସଦୀୟ ବ୍ୟାପାର ବିଭାଗ ଯୁଗ୍ମ ଶାସନ ସଚିବ ମନମୋହନ ବାରିକ୍‌ ଓ ବିଧାନସଭା ସୁରକ୍ଷା ଅଧିକାରୀ ପ୍ରଦୀପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହଲକୁ ବିଧାନସଭା ବୈଠକ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହାସହ ବାଚସ୍ପତି, ବିଧାୟକ ଓ ମନ୍ତ୍ରୀମାନଙ୍କ ବସିବା ଆସନ ନେଇ ସ୍ଥାନ ନିରୂପଣ କରାଯାଇଥିଲା। ସାମୟିକ ବ୍ୟବସ୍ଥା ଅନୁଯାୟୀ, ବାଚସ୍ପତି ଓ ଉପବାଚସ୍ପତି ରାଜୀବ ଭବନ ପଟ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ର ମୁଖ୍ୟ ଫାଟକ ବାଟେ ଆସି ହଲ୍‌ ଭିତରକୁ ପ୍ରବେଶ କରିବେ। ଅନ୍ୟପଟେ ସବୁ ଦଳର ବିଧାୟକ, ବିଧାୟିକା ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଲୋକସେବା ଭବନର ଗେଟ୍‌ ନମ୍ବର-୧ ବାଟେ ପ୍ରବେଶ କରି ସିଧା କନଭେନ୍‌ସନ୍‌ ସେଣ୍ଟର ହଲ୍‌ରେ ପହଞ୍ଚିବେ। କରୋନା ସତର୍କତା ସ୍ବରୂପ ହଲ୍‌ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଛି। ଗୋଟିଏ ଧାଡ଼ି ଛଡ଼ାରେ ଆଉ ୯ଜଣ ସଦସ୍ୟ ବସିବେ। ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଛି। ସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe