କରୋନା ଟିକା ପାଇଁ ପ୍ରସ୍ତୁତି, ସଂପ୍ରସାରିତ ହେବ ଭ୍ୟାକ୍ସିନ୍ ଓ କୋଲ୍‌ଡ ଚେନ୍ ପଏଣ୍ଟ୍

Advertisment

ମାସ ଶେଷ ସୁଦ୍ଧା ଲଗାଯିବ ଡବ୍ଲୁଆଇସି ଓ ଡବ୍ଲୁଆଇଏଫ୍‌

ମାସ ଶେଷ ସୁଦ୍ଧା ଲଗାଯିବ ଡବ୍ଲୁଆଇସି ଓ ଡବ୍ଲୁଆଇଏଫ୍‌

୧୬ରେ କୋଭିଡ୍‌ ଟିକାକରଣ: କ୍ୟାପିଟାଲ ହସ୍ପିଟାଲ, ସୁନ୍ଦରଗଡ଼ରେ ଟୁ ୱେ କମ୍ୟୁନିକେସନ୍

Image Courtesy of NDTV

ଭୁବନେଶ୍ବର: କରୋନା ମହାମାରୀ ପାଇଁ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଟିକା ପ୍ରସ୍ତୁତି ଜୋରଦାର ହୋଇଛି। ଏକାଧିକ କମ୍ପାନିଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଟିକା ତୃତୀୟ ପର୍ଯ୍ୟାୟରେ ରହିଛି। ତେଣୁ ଖୁବଶୀଘ୍ର କରୋନା ଟିକା ଆସିବ ବୋଲି ଆଶା କରାଯାଉଛି। କରୋନା ଟିକା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ନିକଟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଥିଲେ। ଏହି ଭିତ୍ତିରେ ୩ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଡାକ୍ତର, ନର୍ସ, ଏଏନ୍‌ଏମ୍‌, ଅଙ୍ଗନବାଡ଼ି ଓ ଅନ୍ୟମାନେ ରହିଛନ୍ତି।

ତେବେ କେବଳ ସ୍ବାସ୍ଥ୍ୟକର୍ମୀ ନୁହେଁ, ଆଗାମୀ ଦିନରେ ଲୋକମାନଙ୍କ ପାଇଁ ବହୁ ସଂଖ୍ୟାରେ ଟିକା ପ୍ରଦାନ କରିବାକୁ ହେଲେ ଏହାକୁ ରଖିବା ଲାଗି ଅଧିକ ସଂଖ୍ୟା‌ରେ ଭ୍ୟାକ୍ସିନ୍ ଷ୍ଟୋର୍ ଓ କୋଲ୍‌ଡ ଚେନ୍ ପଏଣ୍ଟର ଆବଶ୍ୟକତା ରହିଛି। ତେବେ ନୂଆ ଭ୍ୟାକ୍ସିନ୍ ଷ୍ଟୋର କିମ୍ବା କୋଲ୍‌ଡ ଚେନ୍ ପଏଣ୍ଟର ନିର୍ମାଣ ଅପେକ୍ଷା ଏସବୁ ଗୁଡ଼ିକର ସଂପ୍ରସାରଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଛି। ତେବେ କେତେ ସଂଖ୍ୟକ ଷ୍ଟୋରର ସଂପ୍ରସାରଣ କରାଯିବ ଏ ନେଇ ସ୍ବାସ୍ଥ୍ୟ ବିଭାଗ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍ ଷ୍ଟୋର୍ ରହିଛି। ଏହା ସହିତ ୯ଟି ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋର ସହିତ ୩୨ଟି ଜିଲ୍ଲାସ୍ତରରେ ଷ୍ଟୋର୍ ରହିଛି। ଜିଲ୍ଲାସ୍ତରରୁ ୧୨୨୨ କୋଲ୍‌ଡ ଚେନ୍ ପଏଣ୍ଟକୁ ଟିକା ପଠାଯାଇଥାଏ। ନିୟମିତ ଭାବେ ଚାଲୁଥିବା ଟିକାକରଣ କାର୍ଯ୍ୟକ୍ରମରେ ଏଭଳି ଢଙ୍ଗରେ ଟିକା ତୃଣମୂଳସ୍ତରରେ ପହଞ୍ଚିଥାଏ। ତେଣୁ କରୋନା ଟିକା ପାଇଁ ଏସବୁ ଷ୍ଟୋର ଓ କୋଲ୍‌ଡ ଚେନ୍ ପଏଣ୍ଟ ବ୍ୟବହାର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ୩ଲକ୍ଷରୁ ଅଧିକ ଟିକା ସଂରକ୍ଷଣ ପାଇଁ ରାଜ୍ୟରେ କୌଣସି ସମସ୍ୟା ହେବ ନାହିଁ ବୋଲି ଜଣାପଡ଼ିଛି। ତେବେ ବିଭିନ୍ନ କମ୍ପାନିମାନଙ୍କର ଟିକା ପାଇଁ ଭିନ୍ନ ଭିନ୍ନ ଆବଶ୍ୟକତା ରହିଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କେଉଁ କେଉଁ ଭ୍ୟାକ୍ସିନ୍ ଷ୍ଟୋର୍ ଓ କୋଲ୍‌ଡ ଚେନ୍ ପଏଣ୍ଟର ସଂପ୍ରସାରଣ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସଂପ୍ରସାରଣ ସମୟରେ ୱାକ୍ ଇନ୍ କୁଲର୍‌ସ ବା ଡବ୍ଲୁଆଇସି ଓ ୱାକ୍ ଇନ୍ ଫ୍ରିଜର ବା ଡବ୍ଲୁଆଇଏଫ୍‌ ଲଗାଯିବ। ଚଳିତମାସ ଶେଷ ସୁଦ୍ଧା ଏସବୁ ପହଞ୍ଚିବା ପରେ ଏହାକୁ ଇନଷ୍ଟଲ୍‌ କରାଯିବ। ତେଣୁ ଆଗାମୀ ଦିନରେ‌ ଲୋକମାନଙ୍କ ପାଇଁ ଟିକା ଆସିଲେ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ। ତେବେ ଏକକାଳୀନ ଲକ୍ଷାଧିକ ସଂଖ୍ୟାରେ ଟିକା ପ୍ରଦାନ କରିବା ଲାଗି ମଧ୍ୟ ସମସ୍ୟା ଦେଖା ଦେଇପାରେ। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ଯେଉଁମାନେ ଟିକା ପ୍ରଦାନ କରୁଛନ୍ତି ସେମାନଙ୍କ ବାଦ୍ ଅତିରିକ୍ତ ଭାବେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ନେଇ ଯୋଜନା କରାଯାଇଛି। ନିୟମିତ ଭାବେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ ଥିବା ଏଏନ୍‌ଏମ୍ ଓ ଅନ୍ୟ ସ୍ବାସ୍ଥ୍ୟମାନଙ୍କୁ ଆବଶ୍ୟକ ପଡ଼ିଲେ କାର୍ଯ୍ୟକ୍ରମରେ ସାମିଲ କରାଯିବ। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକାରେ ମଧ୍ୟ ସେମାନେ ରହିଛନ୍ତି।

ସିଙ୍ଗିଲ୍‌ ଡୋଜ୍ ଟିକା ପାଇଁ ଅଧିକ ସ୍ପେସ୍ ବା ସ୍ଥାନ ନେଉଥିବା ବେଳେ ମଲ୍‌ଟିଡୋଜ୍ ଟିକା କମ୍ ସ୍ଥାନ ନେଇଥାଏ। ଏହାସହ ଟିକା ଏକକାଳୀନ ବଦଳରେ ପର୍ଯ୍ୟାୟକ୍ରମେ ଆସିବ, ତେଣୁ ଟିକା ସଂରକ୍ଷିତ ରଖିବାରେ କୌଣସି ସମସ୍ୟା ହେବ ନାହିଁ। ତେବେ କରୋନା ଟିକା ପ୍ରାୟତଃ ଇଞ୍ଜେକସନ୍ ଜରିଆରେ ଦିଆଯିବ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ ତାହା ବୁନ୍ଦା କି ଇଞ୍ଜେକସନ୍ ହେବ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସୂଚନା ଆସିନାହିଁ। ତେବେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି କରାଯିବ। ଏ ପର୍ଯ୍ୟନ୍ତ କେଉଁ କମ୍ପାନିର ଟିକା ପ୍ରଥମେ ଆସିବ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe