Image Source: Zee News
ଆସୁଛନ୍ତି ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ପ୍ରତିନିଧି
୪ଟି ରାଜ୍ୟ ପାଇଁ ଏକକ ବିଦ୍ୟୁତ୍ ଦର ଲାଗୁ କରିବା ପାଇଁ ପ୍ରସ୍ତାବ
ଭୁବନେଶ୍ବର : ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ୨୪ତମ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଯୋଗଦେବେ। ଓଡି଼ଶା ସମେତ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ସଦସ୍ୟ ଥିବା ଅନ୍ୟ ରାଜ୍ୟ ବିହାର, ଛତିଶଗଡ଼ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ବି ଏହି ବୈଠକରେ ଯୋଗଦେବେ। ବୈଠକରେ କୋଇଲା ରୟାଲଟି ସଂଶୋଧନ, ଦୁର୍ବିପାକ ନିରୋଧୀ ଭିତ୍ତିଭୂମି ନିର୍ମାଣ, ରେଳ ସଂଯୋଗୀକରଣ ପ୍ରକଳ୍ପ, ଖଣି ପରିଚାଳନା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପଞ୍ଚାୟତ ଅନୁଷ୍ଠାନକୁ ଅନୁଦାନ, ଚତୁର୍ଦଶ ଅର୍ଥ କମିସନ ସୁପାରିସ ଆଧାରରେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର, ଡିବିଟି ବ୍ୟବସ୍ଥାର ଉପଯୋଗିତା, ଟେଲିକମ୍ ଓ ଇଣ୍ଟରନେଟ୍ ସଂଯୋଗୀକରଣ, ଆଧାର ନମ୍ବର ସମ୍ବଳିତ ତଥ୍ୟ, କେନ୍ଦ୍ରୀୟ ଅନୁଦାନ ପରି ବିଷୟରେ ଆଲୋଚନା ହେବ। ଏଥିପାଇଁ ସମ୍ପର୍କିତ ବିଭାଗଗୁଡ଼ିକ ରାଜ୍ୟର ଦାବିଗୁଡ଼ିକୁ ପ୍ରସ୍ତୁତ କରି ଗୃହ ବିଭାଗକୁ ପ୍ରଦାନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୪ଟି ରାଜ୍ୟରେ ଗୋଟିଏ ପ୍ରକାର ବିଦ୍ୟୁତ ଦର ଲାଗୁ କରିବାକୁ ବୈଠକରେ ଆଲୋଚନା ପାଇଁ ଏଜେଣ୍ଡା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।
ଗୁରୁବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଜୋନାଲ୍ ପରିଷଦ ବୈଠକରେ ଉପସ୍ଥାପିତ ହେବାକୁ ଥିବା ରାଜ୍ୟ ସ୍ବାର୍ଥ ସମ୍ବଳିତ ଦାବିଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ଦାବି ନେଇ ସମସ୍ତ ବିଭାଗଗୁଡ଼ିକ ତୁରନ୍ତ ଗୃହ ବିଭାଗକୁ ଅପଡେଟ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଶ୍ରୀ ତ୍ରିପାଠୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ ଏକ ଅନ୍ତଃରାଜ୍ୟ ବୈଠକ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ସମସ୍ତେ ଉଦ୍ୟମ କରିବେ। ଏହି ବୈଠକ ଲୋକସେବା ଭବନ ସ୍ଥିତ ନବ ନିର୍ମିତ କନଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ହେବ। ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Follow Us