ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି: ଆଜି ଉଠିବ ଥାଳ

ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି: ଆଜି ଉଠିବ ଥାଳ

ସମ୍ବଲପୁର : ଆଚୀ ପବିତ୍ର ଅକ୍ଷୟ ତୃତୀୟା। ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା କାର୍ଯ୍ୟକ୍ରମ’ ରବିବାର ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆୟୋଜନ କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଅନ୍ୟ ବର୍ଷ ‘ଥାଳଉଠା କାର୍ଯ୍ୟକ୍ରମ’ ସନ୍ଧ୍ୟାରୁ ଆରମ୍ଭ ହୋଇ ସରିବା ବେଳକୁ ରାତି ପ୍ରାୟ ସାଢ଼େ ୯ଟା ହୋଇଯାଇଥାଏ। ତେବେ, ଚଳିତ ବର୍ଷ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ। ସହରରେ ଜାରି କର୍ଫ୍ୟୁ କୋହଳ ସମୟ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ରହିଥିବାରୁ ଏହି ଅବଧି ମଧ୍ୟରେ ହିଁ ଏହି ପବିତ୍ର କାର୍ଯ୍ୟକ୍ରମ ସଂପନ୍ନ କରିବାକୁ ଆୟୋଜନ କମିଟିଗୁଡ଼ିକ ସ୍ଥିର କରିଥିବା ଜଣାପଡ଼ିଛି।

ରବିବାର ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିରରୁ ଥାଳ ଉଠିବ। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଥାଳଉଠା କାର୍ଯ୍ୟକ୍ରମ ସଂପନ୍ନ ହେବ ବୋଲି ଆୟୋଜକ ଶୀତଳଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିରରେ ଅପରାହ୍ନ ୪ଟାରେ ଥାଳ ଉଠିବ। ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିରରେ ସନ୍ଧ୍ୟା ୭ଟାରେ ଏହି ପବିତ୍ର କାର୍ଯ୍ୟକ୍ରମ ସଂପନ୍ନ ହେବ ବୋଲି ସୂଚନା ଦିଆଯାଇଛି। ସେହିପରି ବାଲିବନ୍ଧାର ସୋମନାଥ ବାବାଙ୍କ ମନ୍ଦିରରେ ଅପରାହ୍ନ ୫ଟା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା ମନ୍ଦିରରେ ସାଢ଼େ ୫ଟା ଏବଂ ବଡ଼ବଜାରର ଶୀତ‌ଳେଶ୍ବର ବାବାଙ୍କ ମନ୍ଦିରରେ ୬ଟାରୁ ୭ଟା ମଧ୍ୟରେ ଥାଳ ଉଠିବ ବୋଲି ସୂଚନା ଦିଆଯାଇଛି। ବୁଢ଼ାରଜାର ପାହାଡ଼େଶ୍ବର ବାବାଙ୍କ ମନ୍ଦିରରେ ମଧ୍ୟାହ୍ନ ସାଢ଼େ ୧୨ଟା ଥାଳ ଉଠିବ। ସେହିପରି ସାକ୍ଷୀପଡ଼ା ଓ ସହରର ଅନ୍ୟାନ୍ୟ ମନ୍ଦିରଗୁଡ଼ିକରେ ବି କର୍ଫ୍ୟୁ କଟକଣା କୋହଳ ସମୟ ମଧ୍ୟରେ ଏହା ସାରିବାକୁ ସ୍ଥିର କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ ୨୦ ତାରିଖରେ ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ପତରପେଣ୍ଡି, ୨୧ ତାରିଖ ଦିନ ନୃସିଂହ ନିଉତା ଓ ୨୩ ତାରିଖ ଦିନ ସାକ୍ଷୀଗୋପୀନାଥଙ୍କ ଆଗମନ କାର୍ଯ୍ୟକ୍ରମ ସଂପନ୍ନ ହେବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe