ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆର୍‌ସିଙ୍କ ପ୍ରସ୍ତୁତି: ‘୧୮ ଜିଲ୍ଲା,୩ ମହାନଗର ସଜାଗ ରୁହନ୍ତୁ’

Advertisment
ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆର୍‌ସିଙ୍କ ପ୍ରସ୍ତୁତି: ‘୧୮ ଜିଲ୍ଲା,୩ ମହାନଗର ସଜାଗ ରୁହନ୍ତୁ’

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ରାଜ୍ୟର ୧୮ ଜିଲ୍ଲା ଏବଂ ୩ ମହାନଗରକୁ କହିଛନ୍ତି।

ଏସ୍‌ଆର୍‌ସି ଶ୍ରୀଜେନା ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଆଦି ୧୮ ଜିଲ୍ଲାର ଜିଲ୍ଲାପାଳ ଓ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମ୍ୟୁନିସିପାଲ କମିସନରଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ; ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ବାତ୍ୟା ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାବେଳେ ଦରଦାମ୍‌ର ମୂଲ୍ୟବୃଦ୍ଧିକୁ ରୋକିବା ସହ ମହଜୁଦକାରୀ, କଳାବଜାରୀମାନଙ୍କ ପ୍ରତି ସଜାଗ ରହିବା ପାଇଁ ସେ ନିର୍ଦ୍ଦେଶ ଦେବାସହ ଆବଶ୍ୟକସ୍ଥଳେ ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏ ସମ୍ପର୍କରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତିଦିନ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରମାନେ ଏସ୍‌ଆର୍‌ସିଙ୍କୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ।

ପ୍ରତି ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଜିଲ୍ଲାପାଳଙ୍କୁ ଯୋଗାଇ ଦିଆଯାଇଥିବା ସାଟେଲାଇଟ୍‌ ଫୋନ୍‌କୁ ସେମାନେ ଯାଞ୍ଚ କରାଇବେ। ଏହାସହ ୬ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଯେଉଁ ଡିଜିଟାଲ ମୋବାଇଲ ରେଡିଓ ଯୋଗାଇ ଦିଆଯାଇଛି, ସେମାନେ ତାହାକୁ ବ୍ୟବହାର କରିବେ। ଏଥିସହ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମ୍ୟୁନିସିପାଲ୍‌ କମିସନରମାନଙ୍କୁ ମଧ୍ୟ ଅସ୍ଥାୟୀ ଭାବେ ସାଟେଲାଇଟ୍‌ ଫୋନ୍‌ ଯୋଗାଇ ଦିଆଯାଇଛି।

ଜନସାଧାରଣଙ୍କୁ ନିରାପଦ ସ୍ଥାନଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ଆଶ୍ରୟସ୍ଥଳୀଗୁଡ଼ିକର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏନ୍‌ଡିଆର୍‌ଏଫ୍‌ର ୧୭ଟି ୟୁନିଟ୍‌ ବାଦ୍‌ ଆଉ ୧୦ଟି ୟୁନିଟ୍‌କୁ ସଜାଗ ରହିବାକୁ ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରସ୍ତୁତି ସ୍ୱରୂପ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏଠାରେ ସମସ୍ତ ପ୍ରକାର ଜରୁରୀକାଳୀନ ସୂଚନା ଓ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଜିଲ୍ଲାସ୍ତରରେ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସହ ନିରନ୍ତର ସଂଯୋଗରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe