କୋଭିଡ୍‌ ମୃତ୍ୟୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତୁତି ଆରମ୍ଭ

Advertisment

ପ୍ରକ୍ରିୟାକୁ ସରଳ ଏବଂ ସହାୟକଧର୍ମୀ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପ୍ରକ୍ରିୟାକୁ ସରଳ ଏବଂ ସହାୟକଧର୍ମୀ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କୋଭିଡ୍‌ ମୃତ୍ୟୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌ ମହାମାରୀରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କର ପରିବାର ସଦସ୍ୟ ବା ନିକଟତମ ସଂପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ଏବଂ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନରୁ ଉଭୟ ଡିଜିଟାଲ୍‌ ଏବଂ ବାସ୍ତବ ଢ଼ଙ୍ଗରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲା ତହସିଲ ଏବଂ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଉନ୍ନୟନ କମିଶନ୍‌ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନ୍‌ ଶ୍ରୀ ପ୍ରଦୀପ କୁମାର ଜେନା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ସମନ୍ଧିତ ପ୍ରଶାସନିକ ପ୍ରକ୍ରିୟା ଏବଂ କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଶ୍ରୀ ଜେନା ଜଣାଇଥିଲେ ଯେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ନିକଟତମ ସଂପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଅନୁକଂପା ମୂଳକ ସହାୟତା ପ୍ରଦାନ କରାଯିବ । ଧନୀ, ଗରିବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ସହାୟତା ପାଇପାରିବେ । ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ୟକ୍ତି ବା ପରିବାର ମଧ୍ୟ ଏହି ଅନୁକଂପା ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ ।

ଦରଖାସ୍ତ ଗ୍ରହଣଠାରୁ ଆରମ୍ଭ କରି ଅନୁକଂପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଓ ପର୍ଯ୍ୟାୟକୁ ଲୋକମାନଙ୍କ ନିମନ୍ତେ ସରଳ, ସହଜଲବ୍‌ଧ ଏବଂ ସହାୟକ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତହସିଲ୍‌ଦାର ଏବଂ ପ୍ରକ୍ରିୟା ସହ ସଂପୃକ୍ତ ସମସ୍ତ ବର୍ଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍‌ ମୃତ୍ୟୁ ସମ୍ବନ୍ଧିତ କାଗ୍‌ଜାତ୍‌ ଓ ପ୍ରମାଣପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ସମ୍ବନ୍ଧିତ ଅଭିଯୋଗ ଓ ଅସୁବିଧା ଆଦିର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ସହୃଦୟତାର ସହ ସକ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ସୂଚନା ଓ ପ୍ରଯୁକ୍ତିବଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର କହିଥିଲେ ଯେ ଅନୁଦାନ ପାଇଁ ମୃତ ବ୍ୟକ୍ତିଙ୍କ ପରିବାରଜନ ବା ନିକଟତମ ସଂପର୍କୀୟ ନିର୍ଦ୍ଧାରିତ ଫର୍ମରେ ଜିଲ୍ଲାପାଳମାନଙ୍କୁ ଅନ୍‌ଲାଇନ୍‌ ବା ଅଫ୍‌ଲାଇନ୍‌ରେ ଦରଖାସ୍ତ ଦେଇପାରିବେ । ଦରଖାସ୍ତକାରୀଙ୍କୁ ଦରଖାସ୍ତ ଗ୍ରହଣର ଏକ ସ୍ୱୀକତି ରସିଦ୍‌ ଦିଆଯିବ । ସାଧାରଣ ସେବା କେନ୍ଦ୍ର(କମନ୍‌ ସର୍ଭିସ୍ ସେଣ୍ଟର) ମାନଙ୍କରେ ମଧ୍ୟ ଅନ୍‌ଲାଇନ୍‌ ଦରଖାସ୍ତ ଦାଖଲ କରିହେବ । ମିଳିଥିବା ସମସ୍ତ ଦରଖାସ୍ତକୁ ଓକାକ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା ସଫଟ୍‌ଓୟାର ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟା କରଣ କରାଯିବ । ଏହାଦ୍ୱାରା ପ୍ରକ୍ରିୟା ତ୍ୱରାନ୍ୱିତ ଏବଂ ତ୍ରୁଟିମୁକ୍ତ ହେବ । ଜଣେ ମୃତକଙ୍କ ପାଇଁ ଏକାଧିକ ବ୍ୟକ୍ତି ଦରଖାସ୍ତ କଲେ ତାହା ଜଣାପଡ଼ିବ । କୋଭିଡ୍‌ ମୃତ୍ୟୁ ସମ୍ବନ୍ଧିତ ଦସ୍ତାବିଜ୍‌, ପ୍ରମାଣପତ୍ର ଆଦିର ଯାଞ୍ଜ ମଧ୍ୟ ସହଜ ଓ ନିର୍ଭର ଯୋଗ୍ୟ ହେବ ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଘରୋଇ ପୃଥକ ବାସରେ ମୃତ୍ୟୁବରଣ କରିଥିବା ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଏହି ସହାୟତା ପାଇଁ ଦରଖାସ୍ତ କରିପାରିବେ । ପଜିଟିଭ୍‌ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏହି ସହାୟତା ପାଇବେ । ଦରଖାସ୍ତ ଗ୍ରହଣ, ତନଖି, ପ୍ରକ୍ରିୟାକରଣ, ମଞ୍ଜୁରୀ ଏବଂ ସହାୟତା ପ୍ରଦାନ ଆଦି ସମସ୍ତ କାର୍ଯ୍ୟ ଜିଲ୍ଲା ସ୍ତରରେ କରାଯିବ  । ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅଧ୍ୟକ୍ଷମାନଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି । ପ୍ରକ୍ରିୟା ସହିତ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ କମନ୍‌ ସର୍ଭିସ୍‌ ସେଣ୍ଟରର କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ୍‌ ଦିଆଯିବା ଉପରେ ଉନ୍ନୟନ କମିଶନ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଥିଲେ । ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଲୋକମାନଙ୍କଠାରୁ ଦରଖାସ୍ତ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ରଭାବେ ବିଜ୍ଞପ୍ତି ପ୍ରକାଶ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା, ଭେଷଜ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର. ଅତିରିକ୍ତ ରିଲିଫ୍‌ କମିଶନ ଶ୍ରୀ କମଳକାନ୍ତ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥି​‌ଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe