The Weather Channel
ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାରେ ତୃତୀୟ ଲହର ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସଂଯୋଗ ପାଇଁ ଜେନେରେଟରର ବ୍ୟବସ୍ଥା, ବିଦ୍ୟୁତ, ପଙ୍ଖା, ସିସିଟିଭି, ଇଣ୍ଟରକମ୍, ଶୌଚାଳୟ, ପାନୀୟ ଜଳ, ପର୍ଯ୍ୟାପ୍ତ ପରିମାଣରେ ସାନିଟାଇଜର ଓ ମାସ୍କ ପ୍ରସ୍ତୁତ ରଖିବା ବିଷୟରେ ଆଲୋଚନା ହୋଇଛି। ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସାତ ଦିନର ସଙ୍ଗରୋଧରେ ରହିବା ନିର୍ଦ୍ଦେଶ ଦେବା ସହ ପ୍ରତି ଗାଁ କଲ୍ୟାଣ ସମିତି ତତ୍ପର ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଗ୍ରାମର ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ପ୍ରବାସୀଙ୍କ ଫେରିବା ନେଇ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କହିବେ। ଏଥି ସହିତ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ବିଭିନ୍ନ ଜନଗହଳି ସ୍ଥାନରେ ହୋର୍ଡିଂ ଲଗାଇବା, ଭ୍ରାମ୍ୟମାଣ ଶିବିର, ଅଧିକରୁ ଅଧିକ ଆଣ୍ଟିଜେନ ଓ ଆର୍ଟିପିସିଆର ପରୀକ୍ଷା କରିବା ନେଇ ନିଷ୍ପତ୍ତି ଗୃହୀତ ହୋଇଛି।
ଧର୍ମାନୁଷ୍ଠାନରେ ଗହଳି ନକରି ଲୋକେ ଘରେ ପୂଜା କରିବାକୁ ପରାମର୍ଶ ଦିଆଯାଇଥିଲା। ହୋଟେଲଗୁଡ଼ିକୁ ଆସୁଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ପ୍ରବେଶ ଓ ବଣଭୋଜି ପାଇଁ କଟକଣା ଜାରି କରାଯାଇଛି। ଯାତ୍ରୀବାହୀ ବସଗୁଡ଼ିକୁ କୋଭିଡ କଟକଣା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ସ୍ଥାନରେ ଏହାର ତଦାରଖ ପାଇଁ ମାଜିଷ୍ଟ୍ରେଟ ଗାଡ଼ିକୁ ଅଟକାଇ ଯାଞ୍ଚ କରିବେ। ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା କରାଯିବ। ପ୍ରତ୍ୟେକ ଥାନା ଅଞ୍ଚଳରେ ମାସ୍କ ଯାଞ୍ଚ କଡ଼ାକଡ଼ି କରିବା ସହ ମାସ୍କ ବ୍ୟବହାର କରୁନ ଥିଲେ ପ୍ରଥମ ଥର ଦୁଇ ହଜାର ଟଙ୍କା ଓ ଦ୍ବିତୀୟ ଥର ପାଞ୍ଚ ହଜାର ଟଙ୍କା ତଣ୍ଡ ଗଣିବେ। ସମସ୍ତ ବିଡିଓ ନିଜ ଅଞ୍ଚଳର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ତୟାର ରଖିବା ସହ ସ୍ବାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସ ଯୋଗାଇଦେବେ।
ସ୍ବାସ୍ଥ୍ୟ, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ଅଗ୍ନିଶମ ଓ ପୁଲିସ ବିଭାଗକୁ ନେଇ ଗଠିତ ସ୍ବତନ୍ତ୍ର ଦଳ ବିଭିନ୍ନ ଅଞ୍ଚଳ ବୁଲି ତୃତୀୟ ଲହରର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥିତିର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। ବୌଦ୍ଧ ଏନ୍ଏସି କର୍ତ୍ତୃପକ୍ଷ ଅଞ୍ଚଳର ପରିମଳ ବ୍ୟବସ୍ଥା ଠିକ ରଖିବେ। ବୈଠକରେ ଏସ୍ପି ଜ୍ଞାନ ରଞ୍ଜନ ମହାନ୍ତି, ଏଡିଏମ ବବିତା ରାଣୀ ଦଳବେହେରା, ପିଡି ଡିଆରଡିଏ ଅଶ୍ବିନୀ ମେହେର, ଉପଜିଲ୍ଲାପାଳ ସନତ ନାଏକ, ସିଡିଏମଓ ଡା.ଅଭୟ ଦାଶ, ତହସିଲଦାର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ସମସ୍ତ ବ୍ଲକର ବିଡିଓ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।
Follow Us