ବାଲେଶ୍ବର/ଭଦ୍ରକ/ବାରିପଦା: ଉତ୍ତର ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ବାଲେଶ୍ବର ସହ ଭଦ୍ରକ ଓ ମୟୂରଭଞ୍ଜରେ ପ୍ରଶାସନ ସଜାଗ ହୋଇଛି। ବାଲେଶ୍ବର ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ନେଇ ଗତକାଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶଙ୍କ ତତ୍ତ୍ବାବଧାନରେ ଏକ ପ୍ରଶାସନିକ ବୈଠକ ବସିଥିବା ବେଳେ ଆଜି ସବୁ ବ୍ଲକ୍ରେ ବୈଠକ ହୋଇଛି। ଜିଲ୍ଲାର ୧୪୪ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। ତହସିଲଗୁଡ଼ିକରେ ପଲିଥିନ୍ ମହଜୁଦ ଥିବା ବେଳେ ୨ଟି ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୨ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ଅଛନ୍ତି। ଚାନ୍ଦିପୁର, ତାଳସାରୀ, ଉଦୟପୁର, କୀର୍ତ୍ତନିଆ ଆଦି ମତ୍ସ୍ୟାବତରଣ କେନ୍ଦ୍ରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି। ନର୍ଦ୍ଦେଶ ପାଇ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିବା ଜିଲ୍ଲାର ମୋଟ ୨,୨୬୭ ଟ୍ରଲର୍ ଓ ଯନ୍ତ୍ରଚାଳିତ ଡଙ୍ଗା କୂଳକୁ ଫେରଆସିଛି।
ବାଲେଶ୍ବରରେ କୂଳକୁ ଫେରିଲା ୨,୨୬୭ ଟ୍ରଲର୍, ଯନ୍ତ୍ରଚାଳିତ ଡଙ୍ଗା
ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବର୍ଷା
ଭଦ୍ରକରେ ୧୭୫ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ
ସେହିପରି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସମ୍ଭାବ୍ୟ ବାତ୍ୟା ନେଇ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ସବୁ ବ୍ଲକ୍ର ବିଡିଓ ଓ ତହସିଲଦାରଙ୍କ ସହ ସରପଞ୍ଚମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ପଲିଥିନ୍, ଶୁଖିଲା ଖାଦ୍ୟ, ଚୁଡ଼ା ଓ ଚାଉଳ ମହଜୁଦ ରଖାଯାଉଛି। ଜିଲ୍ଲାରେ ୧୭୫ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ଅଛି। ଚାନ୍ଦବାଲି ଓ ବାସୁଦେବପୁର ଭଳି ସମୁଦ୍ରକୂଳିଆ ଅଞ୍ଚଳ, ଭଣ୍ଡାରିପୋଖରୀ ଓ ଧାମନଗର ଭଳି ନଦୀକୂଳିଆ ବ୍ଲକ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି। ଜଳ ନିଷ୍କାସନ ପଥଗୁଡ଼ିକୁ ଯୁଦ୍ଧକାଳୀନଭିତ୍ତିରେ ସଫା କରିବାକୁ ନିର୍ଦ୍ଦେଶ ରହିଛି। ସତର୍କ ସୂଚନା ପାଇ ବିଭିନ୍ନ ଜେଟିରୁ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ପ୍ରାୟ ୯୭୯ଟି ଟ୍ରଲର୍ ଓ ଯନ୍ତ୍ରଚାଳିତ ଡଙ୍ଗା କୂଳକୁ ଫେରିଆସିଛି। ଅନ୍ୟପଟେ ମୟୂରଭଞ୍ଜରେ ଜିଲ୍ଲାପାଳ ହେମକାନ୍ତ ସୟେ ଗତକାଲି ଏକ ପ୍ରସ୍ତୁତ ବୈଠକ କରିଥିଲେ। ଏଥିରେ ସେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ଅଞ୍ଚଳ ବଡ଼ସାହି, ବେତନଟୀ, ମାଣତ୍ରୀ, ଖୁଣ୍ଟା, ରାସଗୋବିନ୍ଦପୁର, ମୋରଡ଼ା, ଶାମାଖୁଣ୍ଟା, ସାରସକଣା, କପ୍ତିପଦା, ଉଦଳାରେ ପର୍ଯ୍ୟାପ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀକୂଳିଆ ଗ୍ରାମଗୁଡ଼ିକର ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ, ସେନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ତେବେ ଆଜିଠାରୁ ଜିଲ୍ଲାର ପାଣିପାଗରେ ପରିବର୍ତ୍ତନ ହୋଇଛି। ଅପରାହ୍ଣରେ ବାରିପଦା ଓ ବାଙ୍ଗିରିପୋଷି ସହ ଶିମିଳିପାଳ ପାଦଦେଶର କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାପଡ଼ିଛି।
Follow Us