ଭୁବନେଶ୍ବର : ଆସନ୍ତା ବିଧାନସଭା ଅଧିବେଶନରେ ଚଳିତ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଆଗତ ହେବ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ବିଭାଗ ଅକ୍ଟୋବର ୩୧ସୁଦ୍ଧା ସେମାନଙ୍କ ବିଭିନ୍ନ ଯୋଜନାର ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ମାର୍ଗଦର୍ଶିକା ଜାରି କରିଛନ୍ତି।
ଶ୍ରୀ ଦେବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନଙ୍କୁ ଚିଠି ଲେଖିଛନ୍ତି େଯ, ୨୦୨୨-୨୩ରେ ଓଡ଼ିଶାର ଅଭିବୃଦ୍ଧି ହାର ୮% ରହିବାର ଆଶା କରାଯାଉଛି। ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ୧୬% ବଢ଼ିଛି। ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ବଜେଟ୍ ବ୍ୟୟ ୨୮% ବଢ଼ିଛି।
ରାଜ୍ୟ ସରକାର ଦାରିଦ୍ର୍ୟ ହ୍ରାସ ମାଧ୍ୟମରେ ନିରନ୍ତର ବିକାଶ, ଲକ୍ଷ୍ୟ ହାସଲ, ଫସଲ କିସମ ପରିବର୍ତ୍ତନ ଦ୍ବାରା କୃଷକଙ୍କ ଆୟ ବୃଦ୍ଧି, ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା, ସମସ୍ତଙ୍କୁ ଟ୍ୟାପ୍ ଯୋଗେ ପାଇପ୍ ପାଣି, ସମସ୍ତଙ୍କୁ ସୁହାଇଲା ଭଳି ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଦକ୍ଷତା ବିକାଶ ସହ ଆର୍ଥିକ କାର୍ଯ୍ୟକଳାପ ତ୍ବରାନ୍ବିତ ଲାଗି ଗୁଣାତ୍ମକ ଭିତ୍ତିଭୂମି ଉପରେ ଜୋର୍ ଦିଆଯିବ। ଏହାକୁ ନଜରରେ ରଖି ବଜେଟ୍ ପ୍ରସ୍ତାବ ପଠାଇବାକୁ କୁହାଯାଇଛି।
ସେହିପରି ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁ ବିଭାଗରେ ବଜେଟ୍ ଅର୍ଥର ୪୦%ରୁ କମ୍ ବ୍ୟୟ ହୋଇଛି ସେଠାରେ ଅତିରିକ୍ତ ବ୍ୟୟବରାଦ ପାଇଁ ଆସୁଥିବା ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଆଯିବ ନାହିଁ ବୋଲି କୁହାଯାଇଛି।
Follow Us