ଓପିଜିସିରେ ପୁଣି ଆନ୍ଦୋଳନର ସଜବାଜ

ଓପିଜିସିରେ ପୁଣି ଆନ୍ଦୋଳନର ସଜବାଜ

ଇବଥର୍ମାଲ : ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ବନହରପାଲି ସ୍ଥିତ ଅଫିସର୍ସ ଆସୋସିଏସନ୍ ଓ ଏମ୍ପ୍ଲଇଜ୍ ୟୁନିୟନର ଏକ ଜରୁରୀ ବୈଠକ ଇବ୍‌ କ୍ଲବ ଇବ୍‌ଥର୍ମାଲଠାରେ ଅନୁଷ୍ଠିତ ହୋଇଯାଇଛି। ଅଫିସର୍ସ ଆସୋସିଏସନ୍ ସଭାପତି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଗଠନ ତାର ଅଧିକାରୀ ଓ କର୍ମଚାରୀଙ୍କ ସକାଶେ କରିଥିବା ଲଢେଇ ଓ ଆଜି ପର୍ଯ୍ୟନ୍ତ ଦାବି ହାସଲ ସକାଶେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ଗତବର୍ଷଠାରୁ ରାଜ୍ୟ ସରକାରଙ୍କ ହାତରେ ଏବେ ଓପିଜିସିର ସଂପୂର୍ଣ୍ଣ ମାଲିକାନା। ଆଜି ବି ପୁରୁଣା ଅଧିକାରୀ ଓ କର୍ମଚାରୀ ଅବହେଳିତ ତଥା ନ୍ୟାୟ ପାଇବାରୁ ବଞ୍ଚିତ ଥିବାରୁ ସଂଗଠନ କର୍ମକର୍ତ୍ତା ତଥା କର୍ମଚାରୀମାନଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା। ଯଦି ଏଥର ସେମାନଙ୍କ ଦାବି ପୂରଣ କରିବାରେ ଓପିଜିସି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତାହେଲେ କଠୋର ପଦକ୍ଷେପ ସ୍ବରୂପ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

publive-image

ମିଳିତ ଭାବେ ସଂଘଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ୧୩ ଦଫା ଦାବି କିଛି ନୂଆ ନୁହେଁ। ୨୦୨୦ ମସିହାରେ ଏହି ୧୩ ଦଫା ଦାବି ନେଇ ଫେବ୍ରୁଆରି ୨୫ ତାରିଖରୁ କଳାବ୍ୟାଜ ପିନ୍ଧି ୮ ମାସ କାଳ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସରକାର କି ଓପିଜିସି କର୍ତ୍ତୃପକ୍ଷ କିଛି ନକରିବାରୁ ୧୬ ନଭେମ୍ବର ୨୦୨୦ ରୁ ମଧ୍ୟାହ୍ନ ଭୋଜନ ବିରତି ସମୟରେ ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଓପିଜିସି ଅଧ୍ୟକ୍ଷ ସଂଘ କର୍ତୃପକ୍ଷଙ୍କୁ ଆଲୋଚନା ପାଇଁ ଡାକିବାରୁ ଚଳିତବର୍ଷ ୩୧ ଜାନୁଆରିଠାରୁ ବିକ୍ଷୋଭ ପ୍ରଦର୍ଶନ ସ୍ଥଗିତ ରଖା ଯାଇଥିଲା। ୨୨ ଫେବ୍ରୁଆରିରେ ଓପିଜିସି ଅଧ୍ୟକ୍ଷଙ୍କ ଡାକରାରେ ଭୁବନେଶ୍ବରରେ ଦାବିଗୁଡ଼ିକ ଉପସ୍ଥାପିତ କରାଯାଇ ଆଲୋଚନା କରାଗଲା। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଅଫିସର୍ସ ଆସୋସିଏସନର ମୁଖ୍ୟ ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ସୌମରଞ୍ଜନ ପଟ୍ଟନାୟକ, ଓପିଜିସି ଏମ୍ପ୍ଲୟିଜ୍ ୟୁନିଅନ୍‌ ମୁଖ୍ୟ ଉପଦେଷ୍ଟା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଦାବିଗୁଡ଼ିକ ସଂପର୍କରେ ଆଲୋଚନା ପରେ ଓପିଜିସିରେ ନୂତନ ଏମ୍‌ଡି ଓ ଡାଇରେକ୍ଟର୍ ଅପରେସନ୍ ପଦ ପୂରଣ ହେବାପରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ଦୁଇଟି ପଦ ନିଯୁକ୍ତ ହୋଇ ସରିବା ପରେ ମଧ୍ୟ ଦୁଇ ମାସରୁ ଅଧିକ ସମୟ ଓପିଜିସି କର୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଗତ ଜୁଲାଇ ୨ ତାରିଖରୁ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିବ ବୋଲି ସଂଘଗୁଡ଼ିକ ଲିଖିତ ଭାବେ ଜଣାଇବାରୁ ପୁଣି ଆଲୋଚନା ପାଇଁ ପ୍ରତିଶ୍ରୁତି ପ୍ରଦାନ କରାଗଲା।

ନଭେମ୍ବର ୬ରେ ଭୁବନେଶ୍ବରଠାରେ ବୈଠକ କରାଯାଇ ଦାବିଗୁଡିକ ଆଲୋଚନା କରାଗଲା। ବୈଠକରେ ଆସୋସିଏସନ୍‌ ଉପଦେଷ୍ଟା ତଥା ବିଧାୟକ ଶ୍ରୀ ପଟ୍ଟନାୟକ, ବ୍ରଜରାଜନଗର ବିଧାୟକ ଶ୍ରୀ ମହାନ୍ତି ଉପସ୍ଥିତ ରହି ଶକ୍ତି ବିଭାଗ କମିସନର ତଥା ଓପିଜିସି ଅଧ୍ୟକ୍ଷଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସପ୍ତମ ବେତନକୁ ଠିକ୍ ଭାବେ ଲାଗୁ କରିବା ସହ ୧-୧-୨୦୧୬ ଓ ୧-୧-୨୦୧୫  ଦୁଇଟି ଇନ୍‌କ୍ରିମେଣ୍ଟ ଲାଗୁ କରିବାକୁ ଦାବି ହେବାପରେ ଏହା ୨୦୨୨ ନୂଆ ବର୍ଷ ଭେଟି ରୂପରେ ଓପିଜିସି ଅଧିକାରୀ କର୍ମଚାରୀଙ୍କୁ ଜାନୁଆରି ୧ରୁ କରାଯିବାକୁ କୁହାଗଲା। ଆଲୋଚନା ଫଳପ୍ରଦ ହୋଇଥିବାରୁ ସଂଗଠନ ଦାବି ପୂରଣ କ୍ଷେତ୍ରରେ ଆଶାବାଦୀ ଅଛି। ହେଲେ ଓପିଜିସି କର୍ତୃପକ୍ଷ ବାରଂବାର ଟାଳଟୁଳ ନୀତି କରି ଏମାନଙ୍କ ଦାବିକୁ ଅଣଦେଖା କରି ଆସିଥିବାରୁ ସଂଘଗୁଡିକ ପକ୍ଷରୁ ଆଗାମୀ ପଦକ୍ଷେପ ପାଇଁ ପ୍ରସ୍ତୁତ କରି ରଖିଛି। ଦାବି ପୂରଣ ନହେଲେ ଆନ୍ଦୋଳନ ନିଶ୍ଚିତ ବୋଲି  ସାଧାରଣ ସଂପାଦକ ଧରଣୀଧର ବେହେରା, ଯୁଗ୍ମ ସଂପାଦକ କୃଷ୍ଣଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଚନ୍ଦନ କୁମାର ପରିଡା, ଏମ୍ପପ୍ଲଇଜ୍ ୟୁନିୟନ୍ ସଭାପତି ପ୍ରଶାନ୍ତ କୁମାର ହୋତା, ସାଧାରଣ ସଂପାଦକ ଦୀପ୍ତି ରଂଜନ ମହାପାତ୍ର ଓ ଉପ ସଭାପତି ସେନାପତି ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe