ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମତଦାନ

Advertisment
ମହାନଦୀ ପାଇଁ ଗୃହ ଅଚଳ, ଆଲୋଚନା ଦାବି କଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ବିଧାନସଭାରେ ଭୋଟ୍ ଦେବେ
ବିରୋଧୀ ଦଳ ନେତା, ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍‌ ଦେବେ

ଭୁବନେଶ୍ବର : ନୂଆ ରାଷ୍ଟ୍ରପତି ବାଛିବା ପାଇଁ ସୋମବାର ନିର୍ବାଚନ ହେବ। ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ଓଡ଼ିଶା ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଯେପରି ଶାନ୍ତିଶୃଙ୍ଖଳାର ସହ ରାଷ୍ଟ୍ରପତି ନିର୍ବାଚନ ହେବ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସ୍ଥିତି ପରଖିଛନ୍ତି।

ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ୍‌ ଦେବେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ଭୋଟ୍‌ ଦେବେ। ସେହିପରି ଓଡ଼ିଶାର ସମସ୍ତ ସାଂସଦ ଦିଲ୍ଲୀରେ ଭୋଟ୍ ଦେବେ। ଓଡ଼ିଶାରେ ଭୋଟ୍ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି। ଓଡ଼ିଶାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ କେନ୍ଦ୍ର ସରକାର ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେ ନିର୍ବାଚନ ସମୟରେ
ବିଧାନସଭାରେ ଉପସ୍ଥିତ ରହିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ୍ ପେପର ଏଠାରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଦୁଇ ପ୍ରାର୍ଥୀଙ୍କ ନାମ ଅଛି। ବିଧାୟକମାନେ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ବରେ ୧ କିମ୍ବା ୨ ଲେଖି ମତଦାନ କରିବେ। ଏହି ନମ୍ବର ଲେଖିବା ପାଇଁ ଭାରତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଭାଓଲେଟ୍‌ କାଳିର ସ୍ବତନ୍ତ୍ର ପେନ୍ ଯୋଗାଇ ଦିଆଯାଇଛି। ସେହିପରି ସାଂସଦମାନଙ୍କ ପାଇଁ ସବୁଜ ରଙ୍ଗର ବାଲଟ୍‌ ପେପର ଥିବାବେଳେ ବିଧାୟକମାନଙ୍କ ପାଇଁ ଗୋଲାପୀ ରଙ୍ଗର ବାଲଟ୍ ପେପର ରଖାଯାଇଛି।

ସୂଚନାଯୋଗ୍ୟ ଯେ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେବା ପାଇଁ ବିଜେଡି ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବାବେଳେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ମନାଇଛି। ବିଜେପି ସାଂସଦ ଓ ବିଧାୟକମାନେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ। କିନ୍ତୁ କଂଗ୍ରେସ ସାଂସଦ ଓ ବିଧାୟକ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ବିଜେଡି ବିଧାୟକମାନଙ୍କ ଭୋଟ୍ ଯେପରି ନାକଚ ହେବନି ଏଥିପାଇଁ ଦଳ ପକ୍ଷରୁ ଏକ ମକ୍ ଭୋଟିଂ ମଧ୍ୟ କରାଯାଇଛି।

ଅପରପକ୍ଷେ ରବିବାର ଦିନ ରାଜ୍ୟ ବିଜେପି ପକ୍ଷରୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ରାଜ୍ୟର ବିଭିନ୍ନ ଦେବାଳୟରେ ପ୍ରାର୍ଥନା ଓ ଯଜ୍ଞ କରାଯାଇଛି। ବି‌ଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରକୁ ଯାଇ ଦୀପଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe