ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି: କୋଭିଡ୍‌ ହସ୍ପିଟାଲ୍‌ ବୁଲିବେ ଜିଲ୍ଲାପାଳ

ବିଏମ୍‌ସିକୁ ଛାଡ଼ି ବନ୍ଦ ହେଲା ସବୁ କୋଭିଡ ହସ୍ପିଟାଲ

ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କୁ ବୁଷ୍ଟର୍‌ ଡୋଜ୍‌ ଉପରେ ଗୁରୁତ୍ୱ
କୋଭିଡ୍‌ ହସ୍ପିଟାଲ୍‌ରେ ହେଲ୍‌ପ୍‌ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : କୋଭିଡ୍‌ ତୃତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ସଂକ୍ରମିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ଆରମ୍ଭ ହୋଇଛି। ରବିବାର ଦିନ ଡିଜିଟାଲ୍‌ ମୋଡ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାୱାରି ପରିସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦିଆଯାଇଛି। ବୈଠକରେ ତୃତୀୟ ଲହର ମୁକାବିଲା ପାଇଁ କ୍ଷେତ୍ର ସ୍ତରରେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନେ ଅବଗତ କରାଇଥିଲେ। ଜିଲ୍ଲାପାଳମାନେ ନିଜେ କୋଭିଡ୍ ହସ୍ପିଟାଲ୍‌ ପରିଦର୍ଶନ କରି ଔଷଧ, ମାନବ ସମ୍ବଳ, ପାଥୋଲୋଜି ଟେଷ୍ଟ ସୁବିଧା, ଅକ୍ସିଜେନ୍‌, ଉପଯୁକ୍ତ ଚିକିତ୍ସା ଆଦିର ତଦାରଖ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କର ଯାହା ଆବଶ୍ୟକତା ରହିଛି, ତାହାକୁ ଗୁରୁତ୍ବ ଦେଇ ତୁରନ୍ତ ପୂରଣ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ସେ କହିଥିଲେ। କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରାଥମିକତା ଭିତ୍ତରେ ବୁଷ୍ଟର୍‌ ଡୋଜ୍‌ ଦେବା ଉପରେ ମୁଖ୍ୟ ସଚିବ ଗୁରୁତ୍ବାରୋପ କରିଥିଲେ। କୋଭିଡ୍‌ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେବା ପାଇଁ କୋଭିଡ୍‌ ହସ୍ପିଟାଲ୍‌ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ହେଲ୍‌ପ୍‌ ଡେସ୍କ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ହସ୍ପିଟାଲ୍‌ରେ ଯେପରି କୌଣସି ରୋଗୀ ନିଜକୁ ଅବହେଳିତ ନ ଭାବନ୍ତି, ସେଥି ପ୍ରତି ନଜର ରଖି ଗୁଣାତ୍ମକ ଚିକିତ୍ସା ପ୍ରଦାନ କରିବା ସହ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ନିୟମିତ ଭାବେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ‌ଦେବା ପାଇଁ କୁହାଯାଇଥିଲା।

publive-image livemint.com

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଥିଲେ ଯେ ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ଯଥାଶୀଘ୍ର ପ୍ରସ୍ତୁତ କରାଯିବା ଆବଶ୍ୟକ। ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ଅବସରପ୍ରାପ୍ତ ଡାକ୍ତର ଓ ନର୍ସଙ୍କୁ କୋଭିଡ୍‌ ଚିକିତ୍ସାରେ ନିୟୋଜିତ କରିପାରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଜିଲ୍ଲାରେ ଉପଲବ୍ଧ ଥିବା ଟିକାକୁ ନେଇ ବୁଷ୍ଟର୍‌ ଡୋଜ୍‌ ଆରମ୍ଭ କରିବାକୁ ଶ୍ରୀ ଶର୍ମା କହିଥିଲେ।

ଉନ୍ନୟନ କମିସନର୍‌ ପ୍ରଦୀପ ଜେନା ରାଜ୍ୟ, କେନ୍ଦ୍ରୀୟ ପିଏସ୍‌ୟୁ ଓ କୋଭିଡ୍‌ ହସ୍ପିଟାଲ ମଧ୍ୟରେ ସବୁ ପ୍ରକାର ସମନ୍ବୟ ପାଇଁ ଆଶ୍ବାସନା ଦେଇଥିଲେ। ପ୍ରଥମ ଓ ଦ୍ବିତୀୟ ଲହର ପରି ଏ ଥର ମଧ୍ୟ ତ୍ରିପାକ୍ଷିକ ଚୁକ୍ତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ସେ କହିଥିଲେ।

ଜିଲ୍ଲାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୧୮୧ ଅକ୍ସିଜେନ୍‌ ଶଯ୍ୟା, ଶିଶୁଙ୍କ ପାଇଁ ୧୦୦୦ ଶଯ୍ୟା, ୨୦୨୪ ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟା, ୮୭୪ ଭେଣ୍ଟିଲେଟର୍‌ ଉପଲବ୍ଧ ଅଛି। ବର୍ତ୍ତମାନ ୧୬,୧୧୭ ସକ୍ରିୟ ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୫,୬୪୦ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ହସ୍ପିଟାଲ୍ ଯିବାର ଆବଶ୍ୟକତା ନାହିଁ। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁଯାୟୀ ଉପଲବ୍ଧ ଥିବା ଶଯ୍ୟାର ୩%, ଆଇସିୟୁର ୧୧% ଓ ଭେଣ୍ଟିଲେଟର୍‌ର ୩% ବ୍ୟବହାର ହେଉଛି। ଏହି ସମୀକ୍ଷା ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଉମାକାନ୍ତ ଶତପଥୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe