ପ୍ରବାସୀଙ୍କ ପାଇଁ ପ୍ରସ୍ତୁତି : ଫେରିବେ ପ୍ରବାସୀ ଓଡ଼ିଆ, ଗୁଜରାଟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବି ରହିଲେ
ବସରେ ଫେରିବେ, ଟିକସ ଛାଡ଼ ପାଇଁ ଅନୁରୋଧ
ଦୁଇ ରାଜ୍ୟ ପାଇଁ ଗଠନ ହେବ ପ୍ରଶାସନିକ କମିଟି

ଭୁବନେଶ୍ବର : ଓଡ଼ିଶା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଅଣାଯିବ। ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟୀ ରୂପାନୀ ଓ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଆଲୋଚନା କରିଛନ୍ତି। କେଉଁଭଳି ଏହି ଶ୍ରମିକମାନେ ଓଡ଼ିଶା ପର୍ଯ୍ୟନ୍ତ ଆସିବେ, ସେ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନବୀନଙ୍କର ଆଲୋଚନା ହୋଇଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ବେଳେ ନବୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶ୍ବାସକୁ ନେଇ ଭିଡ଼ିଓ କନଫରେନ୍ସିଂରେ ଯୋ଼ଡ଼ି ଆଲୋଚନା କରିଥିଲେ।

ସରକାରଙ୍କ ଏଭଳି ନିଷ୍ପତ୍ତିରେ ଓଡ଼ିଶା ଭିତରେ ସଂପୃକ୍ତ ପ୍ରବାସୀ ଶ୍ରମିକଙ୍କ ପରିବାର ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ସଂପୃକ୍ତ ବ୍ୟକ୍ତିଙ୍କ ଆଶାର ସଞ୍ଚାର ହୋଇଛି। ମାସାଧିକ ଧରି ଏସବୁ ବ୍ୟକ୍ତି ଅକଥନୀୟ କଷ୍ଟ ଭିତରେ ସମୟ କାଟୁଛନ୍ତି। ଏମାନଙ୍କୁ ନେଇ ପରିବାର ଚିନ୍ତାରେ ଅଛନ୍ତି। ଯଦିଓ ସଂପୃକ୍ତ ରାଜ୍ୟ ସରକାର ଓ ଓଡ଼ିଶା ସରକାର ସେମାନଙ୍କ କଥା ବୁଝାସୁଝା କରିଛନ୍ତି, ଏହା କିନ୍ତୁ ଆଶ୍ବସ୍ତ କରିପାରିନାହିଁ।

ଉଭୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ନିଷ୍ପତ୍ତି ହୋଇଛି ଯେ ଲୋକଙ୍କୁ ଫେରାଇ ଆଣିବା ପାଇଁ ଏକ ପ୍ରଶାସନିକ କମିଟି ଗଠନ କରାଯିବ। ଦୁଇ ରାଜ୍ୟର ଦୁଇ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏହି କମିଟି ହେବ। କମିଟିରେ କେଉଁ ଅଧିକାରୀ ନେତୃତ୍ବ ନେବେ, ତାହା ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ହିଁ ସ୍ଥିର କରିବେ। ଲୋକମାନଙ୍କୁ ପର୍ଯ୍ୟାୟକ୍ରମେ ବସ୍‌ରେ ଫେରାଇ ଅଣାଯିବ। ଅନ୍ୟମାଧ୍ୟମରେ ଅଣାଯିବ କି ନାହିଁ, ତାହା ଅନୁଧ୍ୟାନ ପରେ ସ୍ଥିର ହେବ।

ଆଲୋଚନା ବେଳେ ସ୍ପଷ୍ଟ କରିଦିଆଯାଇଛି ଯେ ଓଡ଼ିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କର ପଞ୍ଜୀକରଣ ବାଧ୍ୟତାମୂଳକ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ, ଯାହାଦ୍ବାରା କି ସେମାନ ଓଡ଼ିଶାରେ ପହଞ୍ଚିବା ପରେ ସଙ୍ଗରୋଧରେ ରହିବେ ଓ ଅନ୍ୟାନ୍ୟ ସୁବିଧା ପାଇବେ। ଏହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ସୁସ୍ଥ ଶ୍ରମିକଙ୍କୁ ହିଁ ଘରକୁ ଯିବା ଅନୁମତି ଦିଆଯିବ।

ମହାରାଷ୍ଟ୍ରରୁ ଶ୍ରମିକମାନଙ୍କୁ ନେଇ ଯେଉଁ ବସ୍ ଫେରିବ, ତାହା ଉପରୁ ସମସ୍ତ ପ୍ରକାର ଟିକସ ଛାଡ଼ କରାଯିବ ବୋଲି ଶ୍ରୀ ଠାକ୍‌ରେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ମଧ୍ୟ ସଡ଼କ ଟିକସ ଛାଡ଼ କରିବା ଲାଗି ଅନୁରୋଧ କରାଯିବାକୁ ଆଲୋଚନା ହୋଇଛି। ସେହିଭଳି ଗୁଜରାଟରୁ ଯେଉଁ ଶ୍ରମିକ ଫେରିବେ, ସେମାନଙ୍କ ଟିକସ ଛାଡ଼ ପାଇଁ ମଧ୍ୟ ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe