ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ସମୀକ୍ଷା : ସଚିବାଳୟରେ ବ୍ୟବହାର ପାଇଁ ସଫ୍ଟେଓ୍ଵର ପ୍ରସ୍ତୁତ

Advertisment

ସବୁ ଜିଲ୍ଲାରେ ପୁସ୍ତକ ମେଳାକୁ ପ୍ରୋତ୍ସାହିତ କରାଯିବ

ସବୁ ଜିଲ୍ଲାରେ ପୁସ୍ତକ ମେଳାକୁ ପ୍ରୋତ୍ସାହିତ କରାଯିବ

କ୍ୟାବିନେଟ୍‌ ବୈଠକ ଆଜି, ୨୦ଟି ପ୍ରସ୍ତାବ ଉପରେ ଲାଗିବ ମୋହର!

ଭୁବନେଶ୍ୱର : ସଚିବାଳୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସହଜ ଓ ସୁଗମ କରିବା ପାଇଁ ନୂଆ ବ୍ୟବସ୍ଥା ଅବଲମ୍ବନ କରାଯାଇଛି। ସଚିବାଳୟ ସ୍ୱୟଂକ୍ରିୟ ବ୍ୟବସ୍ଥା(ଓସ୍ୱାସ୍‌)ରେ ଓଡ଼ିଆ ଭାଷା ବ୍ୟବହାର ନିମନ୍ତେ ପରୀକ୍ଷାମୂଳକ ଭାବେ ଏକ ସଫ୍ଟେଓ୍ଵର ପ୍ରସ୍ତୁତ ହୋଇଛି। ଏ ନେଇ ସଫଳତା ମିଳିଲେ, ସେହି ସଫ୍ଟେଓ୍ଵରକୁ ମାଇକ୍ରୋସଫ୍ଟ ସଫ୍ଟେଓ୍ଵର ସହ ସଂଲଗ୍ନ କରାଯିବ। ଫଳରେ ସରକାରୀ ନଥିପତ୍ରରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟାପକ ହୋଇପାରିବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଆ ଭାଷାର ପ୍ରସାର, ବିକାଶ ଓ ସରକାରୀ କାର୍ଯ୍ୟରେ ବ୍ୟବହାର ନେଇ ଅଗ୍ରଗତିର ସମୀକ୍ଷା ସମୟରେ ଉପରୋକ୍ତ ସୂଚନା ମିଳିଥିଲା। ଏହି ସଫ୍ଟେଓ୍ଵରକୁ ସମସ୍ତ ବିଭାଗର ସଚିବମାନଙ୍କୁ ଯୋଗାଇଦେବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ସେହିପରି ଓଡ଼ିଆ ଭାଷାରେ ରଚିତ ପୁସ୍ତକ ଏବଂ ଭାଷା ସାହିତ୍ୟର ବ୍ୟାପକ ପ୍ରସାର ନିମନ୍ତେ ସବୁ ଜିଲ୍ଲାରେ ପୁସ୍ତକ ମେଳା ଆୟୋଜନକୁ ପ୍ରୋତ୍ସାହିତ କରାଯିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସଂସ୍କୃତି ବିଭାଗ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ଇତି ମଧ୍ୟରେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟୟନକୁ ଦେୟମୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆଦେଶନାମା ଦିଆଯାଇଛି। ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସଂପର୍କିତ କର୍ମଶାଳା ଆୟୋଜନ କରିବାକୁ ପଦକ୍ଷେପ ନିଆଯାଇଛି। ଫେବ୍ରୁଆରି ସୁଦ୍ଧା ଏହି କାର୍ଯ୍ୟ ସାରି କର୍ମଶାଳାରେ ଉପସ୍ଥାପିତ ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକୁ ସଂକଳିତ କରିବା ପାଇଁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।

କ୍ୟାବିନେଟ୍‌ ନିଷ୍ପତ୍ତିଗୁଡ଼ିକ ଯଥା: ବ୍ୟାସକବି ଫକୀରମୋହନ ଛାତ୍ରବୃତ୍ତି ପ୍ରଦାନ, ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ପ୍ରୋତ୍ସାହନ, ଓଡ଼ିଆ ଭାଷାର ସାହିତ୍ୟ କୃତୀକୁ ଅନ୍ୟ ଭାଷାରେ ଅନୁବାଦ, ଓଡ଼ିଆ ଭାଷାର ପରିବର୍ଧନ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ସଂଗଠନଗୁଡ଼ିକୁ ଚିହ୍ନଟ କରି ପୁରସ୍କାର ପ୍ରଦାନ, ସମସ୍ତ ଉଚ୍ଚବିଦ୍ୟାଳୟରେ ପାଠାଗାର ସ୍ଥାପନ, ଭାଷା କମିସନ ଗଠନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଦ୍ୱିଭାଷୀ ଓଡ଼ିଆ ପ୍ରାରମ୍ଭିକ ପୁସ୍ତକ ପ୍ରସ୍ତୁତି, ଅତିବଡ଼ି ଜଗନ୍ନାଥଙ୍କ ଜନ୍ମତିଥିରେ ତାଙ୍କ ଜନ୍ମସ୍ଥାନରେ ମହାସମାରୋହରେ ପାଳନ, ସାତଲହଡ଼ି ମଠର ପୁନରୁଦ୍ଧାର ଆଦି କାର୍ଯ୍ୟଗୁଡ଼ିକର ସମୀକ୍ଷା ହୋଇଥିଲା। ନିର୍ଧାରିତ ସମୟସୀମା ମଧ୍ୟରେ ଏସବୁ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ସଚିବ ସଂପୃକ୍ତ ସଚିବମାନଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe