ରାଜନଗର: ୩ ବର୍ଷର ସାନ ଭଉଣୀର ଉପସ୍ଥିତ ବୁଦ୍ଧି ଯୋଗୁଁ ପୋଖରୀରେ ବୁଡ଼ି ଯାଉଥିବା ଅନ୍ୟ ଦୁଇ ଭଉଣୀ ଅଳ୍ପକେ ବର୍ତ୍ତିଛନ୍ତି। ଏହି ଶିଶୁକନ୍ୟାର ଚିତ୍କାର ଶୁଣି ପରିବାର ଲୋକେ ପୋଖରୀରୁ ୨ ଝିଅଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୁଇ ଭଉଣୀଙ୍କ ଜୀବନ ବଞ୍ଚାଇଥିବା ୩ ବର୍ଷର ଶିଶୁକନ୍ୟା ଏବେ ପ୍ରଶଂସା ସାଉଁଟିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ତ୍ରିଲୋଚନପୁର ଗାଁର ବାବୁରାମ ଗିରିଙ୍କ ୭ ବର୍ଷର ଝିଅ ଶୁଭଶ୍ରୀ ଓ ଦାଶରଥି ଗିରିଙ୍କ ୬ ବର୍ଷର ଝିଅ ବର୍ଷା ଘର ଆଗରେ ଥିବା ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ। ପରିବାର ଲୋକେ ଚାଷ କାର୍ଯ୍ୟ ପାଇଁ ବିଲରେ ଥିବା ବେଳେ ମା’ ଘର ଭିତରେ କାମ କରୁଥିଲେ। ସଂପର୍କୀୟ ଦୁଇ ଭଉଣୀ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ପୋଖରୀ ମଝିକୁ ଚାଲି ଯାଇଥିଲେ। ଉଭୟ ବୁଡ଼ି ଯାଉଥିବା ସମୟରେ ସେମାନଙ୍କ ଚିତ୍କାର ଶୁଣି ପାଖରେ ଖେଳୁଥିବା ଶୁଭଶ୍ରୀଙ୍କ ସାନଭଉଣୀ ୟଶଶ୍ରୀ ଘର ଭିତରକୁ ଦୌଡ଼ିଯାଇ ମା’ଙ୍କୁ ଡାକ ପକାଇଥିଲା। ମା’ ଅପର୍ଣ୍ଣା ଗିରିଙ୍କ ସହିତ ଦାଦା ଦୌଡ଼ି ଆସି ପୋଖରୀ ମଧ୍ୟକୁ ଡେଇଁ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଉଭୟଙ୍କୁ ଡାଙ୍ଗମାଳସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
Follow Us