ଇତିହାସ ସୃଷ୍ଟି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡ଼ଦାଣ୍ଡରେ ଭାବବିହ୍ବଳ ଓଡ଼ିଶା ମାଟିର ଝିଅ

Advertisment
ଇତିହାସ ସୃଷ୍ଟି କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବଡ଼ଦାଣ୍ଡରେ ଭାବବିହ୍ବଳ ଓଡ଼ିଶା ମାଟିର ଝିଅ

ପୁରୀ: ବଡ଼ଦାଣ୍ଡରେ ଭାବବିହ୍ବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ  ଆସିଲେ ଓଡ଼ିଶା ମାଟିର ଝିଅ। ସେ ଆଜି ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ମେଡିକାଲ ଛକରେ କାରରୁ ଓହ୍ଲାଇଗଲେ। ସେଠାରେ ମହାବାହୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ। ସେ ସେଠାରୁ ଚାଲି ଚାଲି ଆସିଲେ। ବାଟରେ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଲାଗି ମିଶିଥିଲେ।
ଇତିହାସ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମେଡିକାଲ ଛକରୁ ବଡଦାଣ୍ଡରେ ଚାଲି ଚାଲି ଆସି ଦର୍ଶନ କଲେ।  ଓଡ଼ିଆ ଘରର ବୋହୂ ଭଳି ଆସି ଅରୁଣସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଲେ। ପରେ ପାଦ ପ୍ରକ୍ଷାଳନ ଜାଗାକୁ ଯାଇ ପାଦ ଧୋଇବା ପରେ ଦର୍ଶନ ପାଇଁ ଗଲେ। ବାଇଶି ପାହାଚ ଦେଇ ଯିବା ବେଳେ ପ୍ରତି ପାହାଚକୁ ସ୍ପର୍ଶ କରି ସେ ମୁଣ୍ଡିଆ ମାରିଛନ୍ତି।

ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଭୂମିରେ ମୁଣ୍ଡ ଲଗାଇ ପ୍ରଣିପାତ କରିଥିଲେ। ଏସବୁ ଦୃଶ୍ୟ ସାରା ଓଡ଼ିଶାବାସୀଙ୍କୁ ଅଭିଭୂତ କରିଛି। ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ବି ଥିଲେ। ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ଭଙ୍କୁ ଛୁଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି।

publive-image

ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ସଅଳ କରାଯାଇ ଦିନ ୧୧ଟା ୨୦ସୁଦ୍ଧା ସକାଳଧୁପ ସରି ୧୨ଟା ସୁଦ୍ଧା ବେଶ ଶେଷ ହୋଇଛି। ସେପଟେ ସେବାୟତ ନିଯୋଗମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଅନେକ ଉପହାର ଦିଆଯିବ ବୋଲି କହିଛନ୍ତି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ମଧ୍ଯାନ୍ନ ଭୋଜନ ଉଦ୍ଦେଶ୍ଯରେ କିଣାଯାଇଛି କଂସା ବାସନ। ଯେଉଁଥିରେ କଂସା ଥାଳି , ଥାଳିଆ , ଗିନା , ଗ୍ଲାସ , ଡଙ୍କି , ଚାମଚ ଓ ହାତଧୋଇବା ପାଇଁ ପାତ୍ର ଆଦି କିଣାଯାଇ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ଖୋଦେଇ କରାଯାଇଛି। ଯେହେତୁ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ଆମ ଓଡ଼ିଆ, ତେଣୁ ତାଙ୍କୁ ଆତିଥ୍ଯତା ଦେବା ସମସ୍ତ ସେବାୟତଙ୍କ ପାଇଁ ଗର୍ବ ଓ ଗୌରବ। ପୁଣି ରାଜଭବନରେ ମହାପ୍ରସାଦ ଖାଇବା ପାଇଁ ବ୍ଯବସ୍ଥା କରାଯାଇଥିବା ବେଳେ ମାଟି ପାତ୍ର ଓ କଂସାର ପାତ୍ର ବ୍ଯବସ୍ଥା କରାଯାଇଛି। ତେବେ ରାଷ୍ଟ୍ରପତି ରାଜ୍ଯପାଳଙ୍କ ସମେତ ଗଜପତି ମହାରାଜଙ୍କ ସହ ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବାରୁ ଏହା ଶ୍ରୀମନ୍ଦିର ପରମ୍ପରାରେ ନୂଆ ଅଧ୍ଯାୟ ସୃଷ୍ଟି କରିବ।

publive-image

ସୂଚନାଯୋଗ୍ୟ, ଆଜି ୨ ଦିନିଆ ଗସ୍ତରେ ଓଡ଼ିଶା ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ସେଠାରୁ ସେ ଚପର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe