ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମନ ଜିଣିନେଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ୨ କିମି ଚାଲିଲେ

Advertisment
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମନ ଜିଣିନେଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ୨ କିମି ଚାଲିଲେ

ପୁରୀ : ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସେ ଭାରତର ସର୍ବୋଚ୍ଚ କ୍ଷମତାର ଅଧିକାରୀ। କିନ୍ତୁ କାଳିଆ ସାଆନ୍ତଙ୍କ ପାଖରେ ଥିଲେ ସମ୍ପୂର୍ଣ୍ଣ ସମର୍ପିତା। ନା ମନରେ ଥିଲା ଗର୍ବ ନା ଅହଙ୍କାର। ଜଣେ ସାଧାରଣ ଭକ୍ତ ଭଳି ବଡ଼ଦାଣ୍ଡରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଶୀତତାପ ନିୟନ୍ତ୍ରିତ ଗାଡ଼ି ଛାଡ଼ି ଡହଡହ ଖରାରେ ଚାଲିବାକୁ ସେ ସୌଭାଗ୍ୟ ମଣିଥିଲେ। ବାଟସାରା ଯେଉଁମାନେ ପ୍ରଣାମ ଜଣାଉଥିଲେ, ସେମାନଙ୍କୁ ପ୍ରତି ନମସ୍କାର ଜଣାଇବାକୁ ଭୁଲୁନଥିଲେ। ହାତ ହଲାଇ ଅଭିବାଦନ ବି ଜଣାଉଥିଲେ। ପିଲାଙ୍କ ସହ ହାତ ମିଳାଇ ଆଶୀର୍ବାଦ କରୁଥିଲେ।

ଏମିତି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତର ଅନ୍ତରଙ୍ଗ ଦୃଶ୍ୟ। ମହାପ୍ରଭୁଙ୍କ ପ୍ରତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଭକ୍ତିଭାବ ଓ ମଣିଷପଣିଆର ଏହି ଅନନ୍ୟ ନିଦର୍ଶନ ଆଜି କୋଟି ହୃଦୟଙ୍କ ମନ ଜିଣିନେଇଛି।

publive-image

ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଗୁରୁବାର ଥିଲା ପ୍ରଥମ ଶ୍ରୀକ୍ଷେତ୍ର ଗସ୍ତ। ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୪୦ରେ ହେଲିପ୍ୟାଡ୍‌ରେ ଅବତରଣ ପରେ ତାଙ୍କ ଗାଡ଼ି ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଛୁଟିଥିଲା। କାର୍ଯ୍ୟକ୍ରମ ଅନୁସାରେ, ରାଷ୍ଟ୍ରପତି ଓ ତାଙ୍କ କାର୍‌କେଡ୍ ସିଧାସଲଖ ସିଂହଦ୍ବାର ପର୍ଯ୍ୟନ୍ତ ଆସିବା କଥା। ହେଲେ ବଡ଼ଦାଣ୍ଡ ସ୍ପର୍ଶ ପରେ ବଳଗଣ୍ଡି ଛକରେ ଅଟକି ଯାଇଥିଲା ରାଷ୍ଟ୍ରପତିଙ୍କ ଗାଡ଼ି। ସୁରକ୍ଷା ଶୃଙ୍ଖଳରୁ ନିଜକୁ ମୁକ୍ତ କରିଥିଲେ ରାଷ୍ଟ୍ରପତି। ଗାଡ଼ି ଛାଡ଼ି ଜଣେ ସାଧାରଣ ଭକ୍ତଙ୍କ ଭଳି ରାଷ୍ଟ୍ରପତି ପ୍ରାୟ ୨ କିଲୋମିଟର ରାସ୍ତା ଚାଲି ଚାଲି ଯିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ବାଟରେ ସୁରକ୍ଷା କର୍ମୀଙ୍କୁ ଆଡ଼େଇ କୁନି କୁନି ପିଲାଙ୍କୁ ବି କୋଳେଇ ନେଉଥିଲେ। ଏହି ସମୟରେ ରାସ୍ତାର ଦୁଇପାର୍ଶ୍ବରେ ଅପେକ୍ଷାରତ ଲୋକ ଏବଂ ଛୋଟ ପିଲାଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ରାଷ୍ଟ୍ରପତି। ସାଙ୍ଗରେ ଝିଅ ଇତିଶ୍ରୀ ମୁର୍ମୁ ଓ ଜ୍ବାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ୍‌ ବି ଚାଲି ଚାଲି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବାରୁ, ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଅପେକ୍ଷାରେ ଥିଲେ, ସେମାନଙ୍କୁ ବି ରାଷ୍ଟ୍ରପତି ପ୍ରତିନମସ୍କାର ଜଣାଇଥିଲେ। ମଧ୍ୟାହ୍ନ ୧୨ଟା ୧୫ରେ ସିଂହଦ୍ବାର ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଅନ୍ୟମାନେ ପାଛୋଟି ନେଇଥିଲେ।

publive-image

ଶ୍ରୀମନ୍ଦିର ଯିବା ପୂର୍ବରୁ ରାଷ୍ଟ୍ରପତି ଅରୁଣ ସ୍ତମ୍ଭକୁ ସ୍ପର୍ଶକରି ମୁଣ୍ଡିଆ ମାରିଥିଲେ। ପାଦ ପ୍ରକ୍ଷାଳନ ସ୍ଥାନରେ ପାଦ ଧୋଇବା ସହ ପାଣି ସିଞ୍ଚି ହେବାପରେ ସିଂହଦ୍ବାରରେ ମହାପ୍ରଭୁଙ୍କୁ ଆଣ୍ଠୁମାଡ଼ି ପ୍ରଣାମ କରିଥିଲେ। ପରେ ବାଇଶି ପାହାଚ ଦେଇ ଯିବାବେଳେ ପାହାଚକୁ ହାତରେ ସ୍ପର୍ଶ କରି ମୁଣ୍ଡିଆ ମାରିଥିଲେ। ଏହାପରେ ସେ ଗର୍ଭଗୃହରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଶ୍ବବାସୀଙ୍କ ମଙ୍ଗଳ କାମନା କରିଥିଲେ। ଦର୍ଶନ ସାରି ବେହେରଣ ଦ୍ବାର ଦେଇ ବାହାରିବା ପରେ ମୁକ୍ତିମଣ୍ଡପକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ପରେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଥିଲେ। କିଛି ସମୟ ଶ୍ରୀମନ୍ଦିରରେ ବିତାଇବା ପରେ ଅପରାହ୍ନ ପ୍ରାୟ ୧ଟାରେ ଫେରି ସିଂହଦ୍ବାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ରାଷ୍ଟ୍ରପତି ରାଜଭବନ ପହଞ୍ଚି ଗଜପତି ମହାରାଜ ଦିବ୍ୟସିଂହ ଦେବ, ମହାରାଣୀ ଲୀଳାବତୀ ପାଟ ମହାଦେବୀଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ପରେ କିଛି ବ୍ୟକ୍ତିଙ୍କୁ ଭେଟି ରାଷ୍ଟ୍ରପତି ଅପରାହ୍ନ ୩ଟା ୪୦ରେ ଭୁବନେଶ୍ବର ଫେରି ଯାଇଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଞ୍ଚାୟତିରାଜ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ, ସ୍ଥାନୀୟ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe