ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ଜଳ ସଂଚୟ ଜନ ଭାଗୀଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ ପାଇଁ ୧୦ଟି ବର୍ଗର ମିଳିତ ବିଜେତାଙ୍କ ସମେତ ୪୬ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତିପତ୍ର, ଏକ ଟ୍ରଫି ଏବଂ କିଛି ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। 

Advertisment

ତୃତୀୟ ବର୍ଗରେ ଓଡ଼ିଶାର ଜିଲ୍ଲା

ଚଳିତ ବର୍ଷ ମୋଟ ୧୦୦ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ, ୬୭ ଜିଲ୍ଲା, ଛଅଟି ନଗର ନିଗମ, ଗୋଟିଏ ପୌର ସଂସ୍ଥା, ଦୁଇଟି ସହଭାଗୀ ମନ୍ତ୍ରଣାଳୟ/ ବିଭାଗ, ଦୁଇଟି ଶିଳ୍ପ, ତିନୋଟି ଏନଜିଓ, ଦୁଇ ସ୍ୱେଚ୍ଛାସେବୀ ବ୍ୟକ୍ତି ବିଶେଷ ଏବଂ ୧୪ ଜଣ ନୋଡାଲ ଅଧିକାରୀ ଅନ୍ତର୍ଭୁକ୍ତ। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକୁ ବର୍ଗ ୧ରେ ପ୍ରତ୍ୟେକଙ୍କୁ ୨ କୋଟି ଟଙ୍କା, ବର୍ଗ ୨ ଏବଂ ୩ରେ ଥିବା ଜିଲ୍ଲାଗୁଡ଼ିକୁ ଯଥାକ୍ରମେ ୧ କୋଟି ଟଙ୍କା ଏବଂ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ମଧ୍ୟରେ ଓଡିଶାର ଗଞ୍ଜାମ, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକ ତୃତୀୟ ବର୍ଗରେ ପୁରସ୍କୃତ ହୋଇଛନ୍ତି। ଏସବୁ ଜିଲ୍ଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ପ୍ରତ୍ୟେକ ଜିଲ୍ଲାକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। 

କଟକ ଜିଲ୍ଲାର ବଡ଼ ପ୍ରଦର୍ଶନ

ଗଞ୍ଚାମ ଜିଲ୍ଲାରେ ୯,୪୦୨ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକ ଜିଲ୍ଲାରେ ଯଥା​‌କ୍ରମେ ୧୫,୧୪୧, ୬,୬୭୮, ୮,୨୩୭, ୫,୫୭୨ ଟି ଲେଖାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।ଏହା ସହିତ, ଜଳ ସଞ୍ଚୟ ଜନ ଭାଗୀଦାରୀ (ଜେଏସଜେବି) ପ୍ରୟାସରେ ଭୂତଳ ଜଳ ପୁନଃଚାର୍ଜ ଢାଞ୍ଚା ବିକାଶରେ ଅନୁକରଣୀୟ ଅବଦାନ ପାଇଁ ୧୦୦ ଜଣ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମଟି ପାରମ୍ପରିକ 'ଜଳ କଳସ' ସମାରୋହ ସହିତ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: Delhi Blast : ଅଲ-ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଗିରଫ

ବିଜେତାମାନଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରସ୍କାର ବିଜେତାମାନଙ୍କୁ ପ୍ରଶଂସା କରି କହିଥିଲେ ଯେ, ସେମାନେ ନିଜ ନିଜ କ୍ଷେତ୍ରରେ ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ଏବଂ ସେମାନଙ୍କ ପ୍ରୟାସ ମାଧ୍ୟମରେ ସମାଜରେ ଜଳ ବିଷୟରେ ଏକ ନୂତନ ପ୍ରକାରର ସଚେତନତା ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ସମସ୍ତ ପରିବାର ପାଇଁ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା, ଗ୍ରାମାଞ୍ଚଳରେ ଖୋଲା ମଳତ୍ୟାଗ ଦୂର କରିବା ଏବଂ ଜଳ ସଂରକ୍ଷଣ ଭଳି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମଗୁଡ଼ିକୁ ଅନ୍ତର୍ଭୁକ୍ତ କରି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ମଧ୍ୟ ପ୍ରଶଂସା କରିଥିଲେ। ସେ ‘ଜଳ ସଞ୍ଚୟ ଜନ ଭାଗୀଦାରୀ" ଯୋଜନାକୁ ପ୍ରଶଂସା କରିଥିଲେ ଏବଂ ଗତ ବର୍ଷ ଯୋଜନା ଆରମ୍ଭ ହେବା ପରଠାରୁ ୩୫ ଲକ୍ଷରୁ ଅଧିକ ଭୂତଳ ଜଳ ପୁନଃଚାର୍ଜ ଢାଞ୍ଚା ସମାପ୍ତ କରିଥିବାରୁ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ। 

ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ