କଟକରେ ରାଷ୍ଟ୍ରପତି: ‘ରେଭେନ୍‌ସା ଶିକ୍ଷାର ଶାଳଗ୍ରାମ’

ରେଭେନ୍‌ସା ହେଉଛି ଶିକ୍ଷାର ଶାଳଗ୍ରାମ। ଆମ ଆସ୍ଥା, ବିଶ୍ବାସ, ସ୍ନେହ ଓ ସଂପତ୍ତି ବଳରେ ଶିଳା ଶାଳଗ୍ରାମ ପାଲଟି ଯାଇଛି। ରେଭେନ୍‌ସା ବିଶ୍ବବିଦ୍ୟାଳୟ ଓଡ଼ିଶାର ଜୀବନ୍ତ ଇତିହାସର ପ୍ରାଣ ସ୍ପନ୍ଦନ।

fshhfshfsxbvvb

କଟକ: ରେଭେନ୍‌ସା ହେଉଛି ଶିକ୍ଷାର ଶାଳଗ୍ରାମ। ଆମ ଆସ୍ଥା, ବିଶ୍ବାସ, ସ୍ନେହ ଓ ସଂପତ୍ତି ବଳରେ ଶିଳା ଶାଳଗ୍ରାମ ପାଲଟି ଯାଇଛି। ରେଭେନ୍‌ସା ବିଶ୍ବବିଦ୍ୟାଳୟ ଓଡ଼ିଶାର ଜୀବନ୍ତ ଇତିହାସର ପ୍ରାଣ ସ୍ପନ୍ଦନ। ଏହା ହେଉଛି ଭାରତ ଓ ଓଡ଼ିଶା ଇତିହାସର ସକ୍ରିୟ ଅଂଶୀଦାର। ରେଭେନ୍‌ସା ଶିକ୍ଷାର ବିକାଶ ଓ ନାରୀ ଜାଗୃତିର ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଛି ବୋଲି ରେଭେନ୍‌ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। 

ରେଭେନ୍‌ସା ସେଭେନ୍‌ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍‌ପାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଥିଲେ ଯେ, ୧୫୭ ବର୍ଷ ଧରି ରେଭେନ୍‌ସା ଦେଶକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଇ ତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ରେଭେନ୍‌ସା ସବୁ ଓଡ଼ିଆଙ୍କର ସମ୍ପଦ, ସଂସ୍କୃତି ଓ ପରମ୍ପରା। ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ୨୦୨୦ ଜାତୀୟ ଶିକ୍ଷା ନୀତି ଉପରେ କହିଥିଲେ। ଉତ୍ସବରେ ବିଶ୍ବବିଦ୍ୟାଳୟ ତରଫରୁ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ଡକ୍ଟର ଅଫ୍‌ ସାଇନ୍ସ, ସାଂସଦ ଭର୍ତ୍ତୃହରି ମହତାବ, ପରିବେଶ ସଂରକ୍ଷକ ପଦ୍ମଶ୍ରୀ ସାବରବତୀ ଓ ଦୃଷ୍ଟିହୀନ ସାମାଜିକ କର୍ମୀ ବିଜୟ କୁମାର ରଥଙ୍କୁ ଡକ୍ଟର ଅଫ୍‌ ଲିଟରେଚର୍‌ ସମ୍ମାନସୂଚକ ଡକ୍ଟରେଟ୍‌ ଦିଆଯାଇଛି। ଏହାସହ ୨୦୨୩, ୨୦୨୪ ଓ ୨୦୨୫ ବର୍ଷ ପାଇଁ ସ୍ନାତକରେ ୮୪ ଜଣ ଛାତ୍ରଛାତ୍ରୀ, ସ୍ନାତକୋତ୍ତରରେ ୮୬ଜଣଙ୍କୁ ସ୍ବର୍ଣ୍ଣପଦକ, ୧୪୫ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଛି। ଗଲା ୩ ବର୍ଷର ୬ଜଣ ବେଷ୍ଟ ଗ୍ରାଜୁଏଟ୍‌ ଓ ୭ଜଣ ବୋରାସମ୍ବର ସେନାପତି ତର୍କ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ସଭାରେ କୁଳପତି ପ୍ରଫେସର ସଂଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଳସଚିବ କାହ୍ନୁଚରଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ସ୍ବର୍ଣ୍ଣପଦକ ଓ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ଲୁନା ସମାନ୍ତ ଶପଥପାଠ କରାଇଥିଲେ।

ରେଭେନ୍‌ସା ବିଶ୍ବବିଦ୍ୟାଳୟ, ବାଳିକା ବିଦ୍ୟାଳୟ ଓ ସାରଳା ସାହିତ୍ୟ ସଂସଦ ସମାରୋହରେ ଯୋଗଦେଲେ ମହାମହିମ
‘ସାରଳା ଦାସଙ୍କ କବିତ୍ବ ଓ ପାଣ୍ଡିତ୍ୟର ପଟାନ୍ତର ନାହିଁ’

ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରେଭେନ୍‌ସା ବାଳିକା ବିଦ୍ୟାଳୟକୁ ଯାଇ ସେଠାରେ ୮୬ କୋଟି ୯୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂଆ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ରେଭେନ୍‌ସା ବାଳିକା ବିଦ୍ୟାଳୟ ନାରୀ ଶିକ୍ଷାର ଅନ୍ତୁଡ଼ିଶାଳ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାକୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଭର୍ତ୍ତୃହରି ମହତାବ, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିରଦୋସ୍ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତୀ ରଥ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷୀକେଶ ବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ। 

ପରେ ରାଷ୍ଟ୍ରପତି ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଅବସରରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଆଦିକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି କହିଥିଲେ ଯେ ମହାକବି ସାରଳା ଦାସଙ୍କ କବିତ୍ୱ ଓ ପାଣ୍ଡିତ୍ୟର ପଟାନ୍ତର ନାହିଁ। କୌଣସି ବି ଭାଷାରେ ମହାଭାରତ ପରି ମହାକାବ୍ୟ ରଚନା କରିବା ସହଜ ନୁହେଁ। କୃଷକ ପରିବାରରେ ଜନ୍ମିତ ସାରଳା ଦାସ ମହାଭାରତ ରଚନା କରି ପ୍ରମାଣ କରିଛନ୍ତି ଯେ କବିତ୍ୱ ସର୍ବଦା ଉଚ୍ଚନୀଚ ଭେଦଭାବରୁ ଊର୍ଦ୍ଧ୍ୱରେ। ଏହି ଅବସରରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ, ସାହିତ୍ୟିକ ବିଜୟ ନାୟକଙ୍କୁ ସାରଳା ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ସାରଳା ସାହିତ୍ୟ ସଂସଦ ଉପଦେଷ୍ଟା ସହଦେବ ସାହୁ, ପଦ୍ମଭୂଷଣ ପ୍ରତିଭା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe