ସୁନ୍ଦରଗଡ଼ ପ୍ରେସ୍‌ କ୍ଲବ୍ ସଭାପତି ସୁନୀଲ ସିହ୍ନାଙ୍କ ପରଲୋକ

ସୁନ୍ଦରଗଡ଼ ଗଣମାଧ୍ୟମର ମୁରବି, ସୁନ୍ଦରଗଡ଼ ପ୍ରେସ କ୍ଲବ୍ ସଭାପତି ବରିଷ୍ଠ ସାମ୍ବାରଦିକ ସୁନୀଲ କୁମାର ସିହ୍ନା (୬୫) ଚାଲିଗଲେ। ବୁଧବାର ସନ୍ଧ୍ୟାରେ ରାଉରକେଲାସ୍ଥ ଆପଲୋ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଯାଇଛି।

sundargarh press club president

sundargarh press club president Photograph: (Sambad )

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗଣମାଧ୍ୟମର ମୁରବି, ସୁନ୍ଦରଗଡ଼ ପ୍ରେସ କ୍ଲବ୍ ସଭାପତି ବରିଷ୍ଠ ସାମ୍ବାରଦିକ ସୁନୀଲ କୁମାର ସିହ୍ନା (୬୫) ଚାଲିଗଲେ। ବୁଧବାର ସନ୍ଧ୍ୟାରେ ରାଉରକେଲାସ୍ଥ ଆପଲୋ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଯାଇଛି। କିଛି ଦିନ ତଳେ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା। ପକ୍ଷାଘାତସ୍ଥିତିକୁ ଚାଲି ଯାଇଥିଲେ। ତାଙ୍କୁ ତୁରନ୍ତ ରାଉରକେଲା ଆପଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ସାମାନ୍ୟ ସୁସ୍ଥ ହେବାରୁ ସୁନ୍ଦରଗଡ଼ ଡେଙ୍ଗିଭାଡ଼ିସ୍ଥ ଘରକୁ ଅଣାଯାଇଥିଲା। ବୁଧବାର ଅପରାହ୍ନରେ ପୁଣି ଅସୁସ୍ଥ ହେବାରୁ ପୁଅ ଭାରତ ଓ ପରିବାର ଲୋକେ ଆପଲୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ହଠାତ ହୃଦଘାତ ହୋଇ ପ୍ରାଣ ଚାଲିଗଲା। ତାଙ୍କ ବିୟୋଗରେ ସୁନ୍ଦରଗଡ଼ ପ୍ରେସ କ୍ଲବ ସମେତ ସୁନ୍ଦରଗଡ଼ ଜିଲ୍ଲା ଗଣମାଧ୍ୟମଜଗତ ଶୋକାଭିଭୂତ ହୋଇପଡ଼ିଛି। 

ବିହାର ମୂଳବାସିନ୍ଦା ଶ୍ରୀ ସିହ୍ନା ସୁନ୍ଦରଗଡ଼କୁ ଆସିବା ପରେ ୧୯୯୬ରେ ସାଠମ୍ବାଦିକତା କ୍ଷେତ୍ରକୁ ପ୍ରବେଶ କରିଥିଲେ। ପ୍ରଥମେ ସେ ହିନ୍ଦୀ ଖବରକାଗଜ ‘ହିନ୍ଦୁସ୍ତାନ’ରେ ସାମ୍ବାଦିକତା କରିଥିଲେ। ପରେ ପରେ ‘ଜାଗରଣ’, ‘ନବଭାରତ’ର ସାମ୍ବାଦିକ ହୋଇଥିଲେ। ଏପରିକି ଝାରସୁଗୁଡ଼ାରେ ‘ନବଭାରତ’ର ବ୍ୟୁରୋ ହେଡ୍ ଭାବେ ମଧ୍ୟ କିଛି ବର୍ଷ କାମ କରିଥିଲେ।

ପରେ ଓଡ଼ିଆ ଭାଷା ଆୟତ୍ତ କରି ‘ସମୟ’ର ପ୍ରତିନିଧି ଭାବେ ଓଡ଼ିଆ ଗଣମାଧ୍ୟମ କ୍ଷେତ୍ରକୁ ପଶିଥିଲେ। ୩୦ ବର୍ଷର ସାମ୍ବାଦିକତା ଯାତ୍ରା ମଧ୍ୟରେ ନିର୍ଭୀକ ଓ ସାଂଗଠନିକ ଦକ୍ଷତା ରଖିଥିବା ଶ୍ରୀ ସିହ୍ନା ୨୦୦୬ରୁ ୨୦୧୪ ଓ ଦ୍ବିତୀୟ ଥର ପାଇଁ  ୨୦୧୬ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ସୁନ୍ଦରଗଡ଼ ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ଭାବେ ନିର୍ବାଚିତ ହୋଇ ଦାୟିତ୍ବ ସମ୍ପାଦନ କରି ଆସୁଥିଲେ। ତାଙ୍କ ଦେହାନ୍ତ  ପ୍ରେସ କ୍ଲବ୍ ଓ ସୁନ୍ଦରଗଡ଼ ଗଣମାଧ୍ୟମଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ,  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ତାରୀ, ପ୍ରେସ୍‌ କ୍ଲବ ସମ୍ପାଦକ ଦେବାଶିଷ କବି, କାର୍ଯ୍ୟକାରୀ ସଭାପତି ମହମ୍ମଦ ସବୀର, ଉପସଭାପତି ବିଜୟ ବରୁଆ, ଡମ୍ବରୁଧର ନାୟକ, ଦେବବ୍ରଜ ଜେନା, ଜୟନାରାୟଣ ମେଣ୍ଡୁଲି, ଆଲୋକ ଜେନା, ସାଗର ପଟ୍ଟନାୟକ, ସୁଜିତ ସା, ଜୟକୃଷ୍ଣ ସେଠ, ଜଗମୋହନ ରାଉତ, ସରୋଜ ସିଂ, ପପୁ ପ୍ରସାଦ ସିଂ, ହରିହରଦାସ ମହାପାତ୍ର, କିଶୋର ନାଏକ, ଅଶୋକ ଦାଶ, ଦେବାଶିଷ ମହାଲିଙ୍ଗ, ରବି ତନ୍ତୀଙ୍କ ସମେତ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ଜୟଜଗନ୍ନାଥ ଟ୍ରକର୍ସ ଆସୋସିଏସନ ଅଧ୍ୟକ୍ଷ ସଂଜୟ ନନ୍ଦ, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ସଭାପତି ରିତେଶ ପଟେଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe