ଫେବ୍ରୁଆରୀ ୧୯ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସାଧାରଣ ଭକ୍ତଙ୍କୁ ୨ ଘଣ୍ଟା ଶ୍ରୀମନ୍ଦିର ମନା

Advertisment
ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି: ଅପରାହ୍ଣରୁ ରାତ୍ର ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଫେବ୍ରୁଆରି ୧୯ରେ ସାଧାରଣ ଭକ୍ତଙ୍କ ପାଇଁ ୨ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେବ୍ରୁଆରୀ ୧୯ (ଶନିବାର) ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ। ଏହି ସମୟରେ ସାଧାରଣ ଦର୍ଶକଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ନେଇ କଟକଣା ରହିବ। ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନରେ ପୁରୀରେ ପହଞ୍ଚିବେ । ୨୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀସ୍ଥିତ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିବେ । ଏହା ପରେ ଶରଧାବାଲି ପଡ଼ିଆ ଠାରେ ଭକ୍ତି ସିଦ୍ଧାନ୍ତ ଗୋସ୍ୱାମୀଙ୍କର ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବେ। ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe