ରାଷ୍ଟ୍ରପତି ନିର୍ବାଚନ: ଉତ୍ସବମୁଖର କେନ୍ଦୁଝର

Advertisment
ରାଷ୍ଟ୍ରପତି ନିର୍ବାଚନ: ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର :  ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ କେନ୍ଦୁଝର ସହର ଉତ୍ସବ ମୁଖର ହୋଇପଡ଼ିଛି। ନିର୍ବାଚନର ଫଳାଫଳର ଅବ୍ୟବହିତ ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟା ଠାରୁ କେନ୍ଦୁଝର ସହର ଉତ୍ସବରେ ଫାଟି ପଡ଼ିଥିଲା।

ଗୁରୁବାର ସକାଳୁ ଦୌପଦୀ ମୁର୍ମୁର ଭୋଟ୍‌ ଗଣତି ଆରମ୍ଭ ହେବା ପରଠାରୁ ବିଭିନ୍ନ ସ୍ଥାନରେ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଥିଲା। ଏହି କ୍ରମରେ ଗୁରୁବାର ଦିନ ‌ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ସାନ୍ତାଳି ସଂପ୍ରଦାୟରେ ସଂଗଠନଗୁଡିକ ପକ୍ଷରୁ ସକାଳୁ ଭୋଜି ଭାତଠୁ ଆରମ୍ଭ କରି ନାଚ ଗୀତ ଆରମ୍ଭ ହୋଇ ଯାଇଥିଲା। ଅପରାହ୍ଣ ୪ଟା ବେଳେ ବିଜେଡି ପକ୍ଷରୁ ଏକ ବି‌ଶାଳ ବିଜୟ ଶୋଭାଯାତ୍ରା ସହରପରିକ୍ରମା କରିଥିଲା।

ସ୍ଥାନୀୟ କାଳି ପଡିଆଠାରୁ ଏହି ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ମହିଳା ଓ ବିଜେଡି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଦୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସେମାନେ ପ୍ଲା କାର୍ଡ ଧରିଥିବା ବେଳେ ସ୍ଳୋଗାନ ଦେଇଥିଲେ। ମାଟିର ଝିଅକୁ ସ୍ବାଗତ କରିବା ପାଇଁ ନାଚଗୀତରେ ସାମିଲ ହୋଇଥିଲେ ହଜାର ହଜାର ପୁରୁଷ ମହିଳା । ଏହି ଶୋଭଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରକୁ ଆସିବା ପରେ ସେଠାରେ ଦୀର୍ଘ ସମୟ ଧରି ବାଜା ଏବଂ ବାଣ ଫୁଟିଥିଲା। ମିଠା ଖାଇ ଉପସ୍ଥିତ ଲୋକ ଖୁସି ମନାଇ ଥିଲେ।

ଏହି ଶୋଭଯାତ୍ରାର କିଛି ସମୟ ପରେ ବିଜେପି ପକ୍ଷରୁ ଗାନ୍ଧି ଛକଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଠାରେ ବାଜ ଏବଂ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା। ସେହିପରି ସେଠାରେ ସେମାନେ ଶୋଭଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଠା ବାଣ୍ଟିଥିଲେ।

ଶିରିପୁର ଗ୍ରାମରେ ପାଳନ ହୋଇଥିବା ବିଜୟ ଉତ୍ସବ ଚିତାକର୍ଷକ ହୋଇଥିଲା। ସହରର ମଝିର ଥିବା ଏହି ଆଦିବାସୀ ସଂପ୍ରଦାୟର ଗାଁରେ ଆଜି ସକାଳୁ ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। ବିଜୟ ଘୋଷଣା ପରେ ସନ୍ଧ୍ୟା ବେଳେ ଏହି ଗ୍ରାମର ଶହ ଶହ ପୁରୁଷ ମହିଳା‌ ଆଦିବାସୀ ନାଚ ଗୀତରେ ଢ଼ୋଲ, ମାଦଳ ବଜାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚି ଥିଲେ।

ସହରର ବିଜୟ ଶୋଭଯାତ୍ରାରେ ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସାଗରିକା ସାହୁ, ବରିଷ୍ଠ ବିଜେଡି ନେତା ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର, ପୂର୍ବତନ କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ଶିବ କୁମାର ରାଠୋର, ବରିଷ୍ଠ ନେତ୍ରୀ କିରଣବାଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe