ପୋଲିଂ ଅଫିସର ଭୋଟ ଦେବା ଭିଡିଓ ଭାଇରାଲ ଘଟଣା : ପ୍ରିଜାଇଡିଂ, ପୋଲିଂ ଅଫିସର ନିଲମ୍ବିତ, ୧୭୧ ନମ୍ବର ବୁଥ୍‌ରେ ସାନି ମତଦାନ

Advertisment
ପୋଲିଂ ଅଫିସର ଭୋଟ ଦେବା ଭିଡିଓ ଭାଇରାଲ ଘଟଣା : ପ୍ରିଜାଇଡିଂ, ପୋଲିଂ ଅଫିସର ନିଲମ୍ବିତ, ୧୭୧ ନମ୍ବର ବୁଥ୍‌ରେ ସାନି ମତଦାନ

Siasat

କେନ୍ଦୁଝର : ପୋଲି ଅଫିସର ଦାୟିତ୍ବରେ ଥିବା ବୁଥରେ ଭୋଟ ଦେବା ଭିଡିଓ ଭାଇରାଲ ଘଟଣାରେ ନିର୍ବାଚନ ଅଧିକାରୀ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି। ସଂପୃକ୍ତ ବୁଥରେ ସାନି ମତଦାନ ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ଏହି ଘଟଣା ପରେ ରାଜନୈତିକ ହିଂସା ଓ ବୁଥ୍‌ ରିଗିଂ ପାଇଁ ଅପଯଶ ମୁଣ୍ଡାଇଥିବା ଘଷିପୁରା ନିର୍ବାଚନମଣ୍ଡଳୀ ପୁଣି ଚର୍ଚ୍ଚାକୁ ଆସିଛି। ୨୩ ତାରିଖ ଭୋଟ ଗ୍ରହଣ ବେ‌ଳେ ଏହି ନିର୍ବାଚନମଣ୍ଡଳୀର ଗୋହିରା ପଞ୍ଚାୟତ ଅନ୍ତର୍ଗତ ଭୋଳନୂଆଗାଁର ୧୭୧ ନମ୍ବର ବୁଥ୍‌ରେ ଖୋଦ ପୋଲିଂ କର୍ମଚାରୀ ଭୋଟ ଦେଉଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏ ସଂପର୍କରେ ‘ସମ୍ବାଦ’ରେ  ଗତ ୨୬ ତାରିଖରେ ‘ଭୋଟ ଦେଉଛନ୍ତି ଅଧିକାରୀ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଆଜି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ୧୭୧ ନମ୍ବର ବୁଥ୍‌ରେ ସାନି ନିର୍ବାଚନ ପାଇଁ ଘୋଷଣା କରାଯାଇଛି। ସମ୍ପୃକ୍ତ ବୁଥ୍‌ରେ ନିୟୋଜିତ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରିଜାଇଡିଂ ଅଫିସର ସୁରେଶ ଚନ୍ଦ୍ର ନାୟକ ଓ ପଞ୍ଚମ ପୋଲିଂ ଅଫିସର ଯୁଧିଷ୍ଠିର ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି। ସେକ୍ଟର ଅଫିସର ଆରତୀ ସିଂଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

କେନ୍ଦୁଝର ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଘଷିପୁରା ଅଧିକ ସମ୍ବେଦନଶୀଳ। ପୂର୍ବରୁ ୨୦୧୪ ନିର୍ବାଚନରେ ଏଠାରେ  ବିଭିନ୍ନ ବୁଥ୍‌ରେ ରିଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନିଜ ପଞ୍ଚାୟତ ଗଡ଼ବନ୍ଧଗୋଡ଼ାର ବିଭିନ୍ନ ବୁଥ୍‌ରେ ରିଗିଂ ହେବାର ଆଶଙ୍କା କରି କଂଗ୍ରେସ ସମର୍ଥକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଘଷିପୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସିସିଟିଭି, ଭିଡିଓ ସୁଟିଂ ବ୍ୟବସ୍ଥା ସହିତ ଚାରି କମ୍ପାନି ସିଆର୍‌ପିଏଫ ନିୟୋଜିତ ଥିବା ନେଇ ଖୋଦ ଜିଲ୍ଲାପାଳ ଆଶିଷ ଠାକରେ ଓ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଥିଲେ। ଏହାସତ୍ତ୍ୱେ ଗତ ୨୩ ତାରିଖରେ ହୋଇଥିବା ନିର୍ବାଚନରେ ଗୋହିରା ପଞ୍ଚାୟତର ଭୋଳନୂଆଗାଁର ୧୭୧ ନମ୍ବର ବୁଥ୍‌ରେ ପୋଲିଂ ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଇଭିଏମ ପାଖକୁ ଯାଇ ଭୋଟରଙ୍କ ପାଇଁ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା। ପୋଲିଂ କର୍ମଚାରୀଙ୍କ ଏଭଳି କାରନାମାକୁ କେହି ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ।

ଏ ସମ୍ପର୍କିତ ଖବର ଜଣାପଡିବା ପରେ ଜିଲ୍ଲାପାଳ ସମ୍ପୃକ୍ତ ଆନନ୍ଦପୁର ଉପଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ଏହି ରିପୋର୍ଟ ପାଇବା ପରେ ସାନି ମତଦାନ ପାଇଁ ସ୍ଥିର କରାଯାଇଛି। ୧୭୧ ନମ୍ବର ବୁଥ୍‌ ଦାୟିତ୍ୱରେ ଥିବା ପୋଲିଂ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe