ରେଳ ଲାଇନ୍‌ ପ୍ରସଂଗରେ ଗର୍ଜିଲା ବିଜେଡି

Advertisment
ରେଳ ଲାଇନ୍‌ ପ୍ରସଂଗରେ ଗର୍ଜିଲା ବିଜେଡି

ବରଗଡ଼: ଉଭୟ ଧାନ ଏବଂ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ପ୍ରସଂଗ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍‌ କରିଛି ବିଜେଡି। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଉଭୟ ମାମଲାରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ବିଜେଡିର ନେତୃବୃନ୍ଦ ଅଭିଯୋଗ କରିଛନ୍ତି, ସଦ୍ୟ ଉପସ୍ଥାପିତ କେନ୍ଦ୍ର ବଜେଟ୍‌ରେ ଖାଦ୍ୟଶସ୍ୟ ସଂଗ୍ରହ ବାବଦକୁ ୨୦୨୧-୨୨ ବର୍ଷ ତୁଳନାରେ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହ୍ରାସ କରାଯାଇଛି। ଏଥିରୁ କେନ୍ଦ୍ରର ଚାଷୀ ବିରୋଧ ନୀତି ସ୍ପଷ୍ଟ ହେଉଛି। ଏହାବାଦ୍‌ ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଉଳର ପରିମାଣକୁ ମଧ୍ୟ ୮୦ ଭାଗ କମାଇ ଦିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ସରକାର ମରଣ ମୁହଁକୁ ଠେଲି ଦେଇଛନ୍ତି।

ଏତେ ପରିମାଣର ବ୍ୟୟବରାଦ ହ୍ରାସ ଯୋଗୁଁ ଚାଷୀମାନେ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ମୂଲ୍ୟ ପାଇବାରୁ ବଂଚିତ ହେବେ। ଯଦ୍ବାରା ସଂଗେସଂଗେ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମ୍‌ରେ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ବିଧାନସଭାର ସର୍ବଦଳୀୟ ଓ ସର୍ବସମ୍ମତ ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରି ଚାଷୀ ବିରୋଧୀ ନୀତିକୁ ପ୍ରମାଣିତ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ତରଫରୁ ଭାରତୀୟ ଖାଦ୍ୟ ନିଗମ ଓଡ଼ିଶାରୁ ହାରାହାରି ୧୮ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଉଥାଏ। କିନ୍ତୁ ୨୦୨୨-୨୩ ସଂଗ୍ରହ ବର୍ଷରେ ତାହାକୁ ୮୦ ଭାଗ ହ୍ରାସ କରି  ମାତ୍ର ୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବା ପାଇଁ ନିଗମକୁ ନିର୍ଦେଶ ଦିଆଯାଇଛି।

କିନ୍ତୁ କେବଳ ବରଗଡ଼ ଜିଲ୍ଲାରୁ ୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଭାରତୀୟ ଖାଦ୍ୟ ନିଗମ ସଂଗ୍ରହ କରିଥାଏ। ଏହି ନିଷ୍ପତ୍ତି ଚାଷୀଙ୍କ ମେରୁଦଣ୍ଡ ଭାଂଗି ଦେବ ବୋଲି ବିଜେଡି ଅଭିଯୋଗ କରିଛି। ଅନ୍ୟପକ୍ଷରେ ଦଳ ବରଗଡ଼-ନୂଆପଡ଼ା ରେଳଲାଇନ୍‌ ପ୍ରସଂଗ ବି ଉଠାଇଛି। ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ଓଡ଼ିଶା ସରକାର ଆଜି ଜମି ଦେଲେ କାଲିଠୁ ରେଳ ଲାଇନ୍‌ ପଡ଼ିବ ବୋଲି କହିଥିଲେ। କିନ୍ତୁ ରେଳ ବଜେଟ୍‌ରେ ରେଳ ଲାଇନ୍‌ ତ ଦୂରର କଥା ସର୍ଭେ ପାଇଁ ଟଙ୍କାଟିଏ ବରାଦ ହୋଇନାହିଁ। ଓଡ଼ିଶା ସରକାର  ସ୍ବେଚ୍ଛାକୃତ ଭାବେ ୩୦୦ କୋଟି ଟଙ୍କା ସହିତ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ବଜେଟ୍‌ରେ ଏହି ପ୍ରକଳ୍ପକୁ ଟଙ୍କାଟିଏ କେନ୍ଦ୍ର ସରକାର ନ ଦେବା ଆଶ୍ଚର୍ଯ୍ୟଜନକ ବୋଲି ବିଜେଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe