ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା : ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରୁଥିଲେ

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା : ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରୁଥିଲେ

ବ୍ରହ୍ମପୁର : ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ବ୍ୟାପକ ଅର୍ଥ ଠୁଳ କରିଛନ୍ତି ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଫର୍ଦ ଲମ୍ବିବାରେ ଲାଗିଛି। ଏ ମଧ୍ୟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବ୍ରହ୍ମପୁର ସହର ନିକଟ କୁକୁଡ଼ାଖଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଛନ୍ତି।

ସାମ୍ବାଦିକ ସମ୍ପିଳନୀରେ ସେ କହିଛନ୍ତି ଯେ, ୨୦୦୪ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି  ଗୋପାଳପୁର ବିଧାୟକ ରାଜୁତି ଚଳାଇଥିଲେ। ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା। ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ବହୁ ବିଳମ୍ବରରେ ହେଉ ପଛେ ଗୋପାଳପୁର ବିଧାୟକଙ୍କ କଳା କାରନାମା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ରାଜ୍ୟ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହାକୁ ମୁଁ ସ୍ବାଗତ କରୁଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସରକାର ଆହୁରି ଖୋଳାତାଡ଼ କଲେ ବହୁ ତଥ୍ୟ ପଦାକୁ ଆସିବ।

publive-image

ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡଠାରେ ଏକ ପାୱାର ପ୍ଲାଣ୍ଟ ରହିଥିବା ଆମେ ଜାଣିବାକୁ ପାଇଥିଲୁ। ସରକାର ଏହାର ମଧ୍ୟ ତଦନ୍ତ କରନ୍ତୁ। ମୋ ବିରୋଧରେ ୫୪ଟି ମିଥ୍ୟା କେସ୍ ଦିଆଯାଇଥିଲା। ଏହା ପଛରେ ପ୍ରଦୀପଙ୍କ ହାତ ରହିଥିଲା। ପ୍ରଦୀପଙ୍କ ଏହି ଦୁର୍ନୀତିରେ ଜିଲ୍ଲାର କିଛି ବିଜେଡି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସଂପୃକ୍ତି ରହିଛି। ଏହାର ଖୋଳତାଡ଼ ହେବା ଆବଶ୍ୟକ। ଯଦି ସରକାର ତଦନ୍ତକୁ ଦୁର୍ବଳ କରନ୍ତି ତାହେଲେ କଂଗ୍ରେସ ନିଶ୍ଚିତ ଭାବେ ବିରେ‌ାଧ କରିବ ବୋଲି ସେ କହିଥିଲେ।

ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ସୂଚନା ଦେଇ କହିଥିଲେ ଯେ, ଦିନେ ଗଞ୍ଜାମ କଂଗ୍ରେସର ଗଡ଼ ଥିଲା। କିନ୍ତୁ ଏବେ କଂଗ୍ରେସ ଗଞ୍ଜାମରେ ନିଶ୍ଚିନ୍ନ ହୋଇଯାଇଛି। ଜିଲ୍ଲାରେ କଂଗ୍ରେସ ଏକ କଠିନ ରାସ୍ତା ଦେଇ ଗତି କରୁଛି। ଏଭଳି ସ୍ଥିତିରେ ମୋ ଉପରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପିସିସି ସଭାପତି ଆସ୍ଥା ପ୍ରକଟ କରି ଜିଲ୍ଲା ସଭାପତି ଦାୟିତ୍ବ ଦେଇଛନ୍ତି। ମୋ ଉପରେ ଲୋକମାନଙ୍କର ମଧ୍ୟ ବିଶ୍ବାସ ରହିଛି। ଗଞ୍ଜାମରେ କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ମୁଁ ଉଦ୍ୟମ କରିବି। ତୃଣମୂଳ ସ୍ତରର କର୍ମୀ ଏବଂ କଂଗ୍ରେସ ଦଳର ସମସ୍ତଙ୍କୁ ନେଇ କାମ କରିବି।

କଂଗ୍ରେସ ଗୋଷ୍ଠୀ କନ୍ଦଳରେ ଉବୁଟୁବୁ ହେଉଥିବା ପ୍ରଶ୍ନରେ ସେ କହିଥିଲେ ଯେ, ଗଞ୍ଜାମର କଂଗ୍ରେସରେ ଯେଉଁମାନେ ଗୋଷ୍ଠୀ କନ୍ଦଳ ସୃଷ୍ଟି କରୁଥିଲେ ସେମାନେ ଏବେ ଦଳରେ ନାହାନ୍ତି, ବିଜେଡିକୁ ଚାଲିଯାଇଛନ୍ତି। ଜିଲ୍ଲାରେ ଦଳ ଏକ ହୋଇ କାମ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥୀ‌ ଗମାଙ୍ଗ, ମହିଳା ଜିଲ୍ଲା କଂଜଗ୍ରସ ସଭାପତି ସ୍ବରୂପା ତ୍ରିପାଠୀ, ଗୋପାଳପୁର ନିର୍ବାଚନମଣ୍ଡଳୀର ଏସ ଧର୍ମରାଜୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe