ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଚିହ୍ନଟ ପରେ ନମୁନା ପରୀକ୍ଷା ଲାଗି ନ ଆସିଲେ ପୁଲିସ ସହାୟତା ନିଆଯିବ

ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଚିହ୍ନଟ ପରେ ନମୁନା ପରୀକ୍ଷା ଲାଗି ନ ଆସିଲେ ପୁଲିସ ସହାୟତା ନିଆଯିବ

ଭୁବନେଶ୍ବର: ଭୁବନେଶ୍ବରରେ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର କରୋନା ହଟସ୍ପଟ୍ ଭୁବନେଶ୍ବରରେ ସଂକ୍ରମଣ ରୋକିବା ଲାଗି ଏକ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ‌ପ୍ରାଥମିକତା ଭିତ୍ତିରେ କାହାର ନମୁନା ପରୀକ୍ଷା ହେବ ସେ ନିଷ୍ପତ୍ତି ଗ୍ରହଣ କରିବ ସ୍ବାସ୍ଥ୍ୟ ବିଭାଗ। ନମୂନା ସଂଗ୍ରହରେ କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଚିହ୍ନଟ ହୋଇଥିବା ବ୍ୟକ୍ତି ସରକାରଙ୍କୁ ସହଯୋଗ କରିବା ଦରକାର। ଯଦି ସେମାନେ ସହଯୋଗ ନ କରନ୍ତି ତେବେ ସରକାର ଏଥିଲାଗି ପୁଲିସ ଓ ପ୍ରଶାସନର ସହାୟତା ନେବେ।

ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଚିହ୍ନଟ ପରେ ନମୂନା ସଂଗ୍ରହରେ କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ସେ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଯେଉଁମାନେ ବାହାରୁ ଆସିଛନ୍ତି କିମ୍ୱା ଯେଉଁମାନଙ୍କର ଗସ୍ତ ଇତିହାସ ରହିଛି ଅଥବା ଯେଉଁମାନଙ୍କର କରୋନାର କୌଣସି ଲକ୍ଷଣ ରହିଛି  ସେମାନଙ୍କୁ ସବୁଠାରୁ ଆଗେ ପ୍ରାଥମିକତା ଦିଆଯିବ। ଏହାପଛକୁ ସ୍ୱାସ୍ଥ୍ୟକର୍ମୀ, ପୁଲିସ କର୍ମୀ ଏବଂ ସଫେଇ କର୍ମୀଙ୍କର ନମୂନା ସଂଗ୍ରହ କରାଯିବାକୁ ପ୍ରାଥମିକତା ଦିଆଯିବ ।

publive-image

ଏହାପଛକୁ ୬୦ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ଲୋକ ଅଥବା ଥଣ୍ଡା , ଇନଫ୍ଲୁଏଞ୍ଜା, ହାଇପରଟେନସନ୍ ,ମଧୁମେହ ଓ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଏଥିଲାଗି ଲୋକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଯେଉଁମାନେ ଚିହ୍ନଟ ହେବା ପରେ ବି ପରୀକ୍ଷା ଲାଗି ଆସିବେ ନାହିଁ, ସେମାନଙ୍କୁ ଆଣିବା ଲାଗି ପୁଲିସ ସହାୟତା ନିଆଯିବ ଓ ସେମାନଙ୍କର ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ରାଜଧାନୀ ଭୁବନେଶ୍ବରରେ ଆଗାମୀ ୭ ଦିନ ଭିତରେ ୫ ହଜାର ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe